Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀମନ୍ଦିରରେ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେବେ ତିନି ଠାକୁର

ପୁରୀ: ଆଜି ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ଦୁର୍ଲଭ ରାଜରାଜେଶ୍ଵରୀ ବା ସୁନାବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉ ଏହି ବେଶରେ ସଜ୍ଜିତ ହୋଇ ରତ୍ନବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସୁସଜ୍ଜିତ କରାଇବେ ।

ଠାକୁରମାନେ ଶ୍ରୀଭୁଜ, କିରୀଟ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ଶଙ୍ଖ, ଚକ୍ର, ହଳ, ମୂଷଳ, ତ୍ରିଶାଖା, ଅଳକା, ତଡ଼ଗି, ଶ୍ରୀମୁଖ ପଦ୍ମ, ଘାଗଡ଼ା ମାଳି, କଦମ୍ବ ମାଳି, ହରିଡ଼ା କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ବାଘନଖି ମାଳି ଓ ସେବତୀମାଳି ଆଦି ରତ୍ନ ଅଳଙ୍କାର ଧାରଣ କରିବେ । ଏହି ଦୁର୍ଲଭ ସୁବର୍ଣ୍ଣ ବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି ସହ ଟ୍ରାଫିକ ବ୍ୟବସ୍ତାକୁ ବ୍ୟବସ୍ଥିତ କରାଯାଇଛି ।

ଅନ୍ୟପଟେ ମହୋଦାଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ଓ ବୁଡ଼ ପକାଇବା ପାଇଁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମେତ ବ୍ରତଧାରୀ ଓ ହବିଷ୍ୟାଳିଙ୍କ ସମାଗମ ହୋଇଛି । ଭକ୍ତଙ୍କ ସାମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ୩୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶ୍ରୀମନ୍ଦିର ବାହାରେ, ସମୁଦ୍ର କୂଳ ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।