କରେଣ୍ଟ ଲାଗି ଚାଲିଗଲା ଧାନ ଜଗିବାକୁ ବିଲକୁ ଯାଇଥିବା ଚାଷୀଙ୍କ ଜୀବନ


ଭଦ୍ରକ: ଧାନ ବିଲକୁ ଯାଇଥିବା ବେଳେ କରେଣ୍ଟ ଲାଗି ଚାଲିଗଲା ଚାଷୀଙ୍କ ଜୀବନ । ପଡ଼ୋଶୀଙ୍କ ତାର ବାଡ଼ରେ ହାତ ପଡ଼ିଯିବାରୁ ମାରିଲା କରେଣ୍ଟ ଓ ସେଠାରେ ଟଳି ପଡ଼ିଲେ ଚାଷୀ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧୀନ କୋରୁଆ ଗ୍ରାମରେ । ମୃତକ ହେଉଛନ୍ତି ବୁଦ୍ଧିରାମ ବେହେରା ।

ବୁଦ୍ଧିରାମ ଗତକାଲି ଘରେ ଖାଇ ପିଇ ଅପରାହ୍ନ ପ୍ରାୟ ୩ଟା ବେଳେ ନିଜ ବିଲକୁ ଯାଇଥିଲେ । ଏହି ସମୟରେ ହଠାତ୍‌ କୌଣସି କାରଣରୁ ତାଙ୍କ ଗୋଡ଼ ଖସିଯିବାରୁ ପାଖ ବିଲରେ ଲାଗିଥିଲା ତାରରେ ହାତ ପଡ଼ି ଯାଇଥିଲା । ଫଳରେ ସେ ସେଠାରେ ଅଚେତ ହୋଇ ପଡ଼ିଥିଲେ ।

ଗାଈ ଗୋରୁଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ତଥା ତାଙ୍କୁ ଝଟକା ଦେବା ନିମନ୍ତେ ଉକ୍ତ ତାର ଲଗାଯାଇଥାଏ । ମାତ୍ର ଉକ୍ତ ତାରରେ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ବେଳେ ବୁଦ୍ଧିରାମ ତାହା ସଂସ୍ପର୍ଶରେ ଆସି ଯାଇଥିଲେ ।

ବୁଦ୍ଧିରାମ ଘରକୁ ନ ଫେରିବାରୁ ଦୀର୍ଘ ସମୟ ଧରି ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ପରେ ବିଲରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଧୁଷୁରୀ ଥାନାରେ ମୃତକଙ୍କ ପୁଅ ଏତଲା ଦେବା ପରେ ବିଲରେ ଝଟକା ମେସିନ ଲଗାଇଥିବା ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ପଚରାଉଚରା କରୁଛି ପୋଲିସ୍ ।