ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ସୁବଳୟା ସ୍ଥିତ ଅମୃତଧାରା ପାନୀୟ ଜଳ ପ୍ରକଳ୍ପର ସମସ୍ତ କାମ ସମ୍ପୂର୍ଣ ହୋଇଥିଲେସୁଦ୍ଧା କାର୍ଯ୍ୟକ୍ଷମ ହୋଇ ନ ପାରି ବହୁଦିନ ଧରି ଅଚଳ ହୋଇ ପଡିଛି l ଏହି ପ୍ରକଳ୍ପ ସୁବଳୟା 5ଟି ହାଇସ୍କୁଲ ସମ୍ମୁଖରେ ରହିଥିବା ବେଳେ ଥଣ୍ଡା ପାନୀୟ ଜଳ ପାଇଁ ସ୍କୁଲ ଛାତ୍ରଛାତ୍ରୀ, କସ୍ତୁରବା ସ୍କୁଲର ଛାତ୍ରଛାତ୍ରୀ ତଥା ସୁବଳୟା ଗ୍ରାମବାସୀଙ୍କ ସମେତ ଏହି ରାସ୍ତାଦେଇ ଯିବା ଆସିବା କରୁଥିବା ବାଟୋଇମାନଙ୍କ ସୁବିଧା ହୋଇଥାଏ l ପ୍ରକାଶ ଯୋଗ୍ୟ ଯେ, ବୀର ମହାରାଜପୁର ପଂଚାୟତ ସମିତି ଆନୁକୂଲ୍ୟରେ ପ୍ରାୟ ବର୍ଷେ ପୂର୍ବେ ନିର୍ମାଣ ହୋଇ ସାରିଥିବାବେଳେ ଏଥିପାଇଁ ତିନି ଲକ୍ଷ ଟଙ୍କା ଅଟକଳ ହୋଇଥିଲା l ପ୍ରକଳ୍ପଟିରେ ବୋରୱେଲ, ମୋଟରଲାଗିବା ସହ ବିଦ୍ୟୁତ ସଂଯୋଗ ଆଦି ସମସ୍ତ କାମ ସରି ଥିଲେ ମଧ୍ୟ ପାଣି ବାହାରୁ ନାହିଁ l ଫଳରେ ପାଣି ଟୋପାଏ ପାଇଁ ଲୋକେ ଡହକ ବିକଳ ହେଉଛନ୍ତି l ଅପର ପକ୍ଷରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଆଖପାଖ ରେ ରହିଥିବା ବିଭିନ୍ନ ଜଳଯୋଗାଣ ପ୍ରକଳ୍ପ ତଥା ନଳ କୂପ ଗୁଡିକ ପ୍ରାୟ ଅଚଳ ହୋଇ ପଡିଥିବାବେଳେ ଜଳାଶୟ ଗୁଡିକ ମଧ ଶୁଖିଲା ପଡିଛି l ଏଣୁ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ସହ ସୁବଳୟା ଗ୍ରାମବାସୀ ତଥା ଉକ୍ତ ରାସ୍ତାଦେଇ ଯିବାଆସିବା କରୁଥିବା ବାଟୋଇମାନଙ୍କ ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ଉକ୍ତ ପ୍ରକଳ୍ପ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୁଏ l