ଭଦ୍ରକ: ରାତିର ଅନ୍ଧାରରେ ମାତିରେ ଚୋର । ଟାର୍ଗେଟରେ ମନ୍ଦିର । ଜୋଟିଏ ରାତିରେ ୪ଟି ମନ୍ଦିରରେ ବୁଲାଇଲେ କଳାକନା । ଲୁଟି ନେଲେ ସୁନା, ରୁପା ଅଳଙ୍କାର । ଘଟଣା ଘଟିଛି ଭଦ୍ରକ ପୌରପାଳିକା ଅନ୍ତର୍ଗତ ୨୮ ନମ୍ବର ୱାର୍ଡରେ ଗରଦପୁରର ନୂଆସାହିରେ । ଏଠାରେ ଥିବା ୪ଟି ମନ୍ଦିରରେ ସିରିଜ ଲୁଟ୍ କରିଛନ୍ତି ଲୁଟେରା ।
ମଙ୍ଗଳା ମନ୍ଦିର, ଶିବ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ହନୁମାନ ମନ୍ଦିରରୁ ବହୁ ଅଳଙ୍କାର ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମଙ୍ଗଳା ମନ୍ଦିରର ତାଲା ଭାଙ୍ଗି ମାଆଙ୍କ ରୁପାର ମୁକୁଟ ସହ ହାର ଓ ଅନ୍ୟାନ୍ୟ ଅଳଙ୍କାର, ଶିବ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ସହ ପିତଳ ବାସନ ଓ ଅନ୍ୟାନ୍ୟ ସାମଗ୍ରୀ, ରାଧାକୃଷ୍ଣ ମନ୍ଦିରର ତାଲା ଭାଙ୍ଗି ରୂପାର ମୁକୁଟ, ରୁପାର ହାର ସହ ଅନ୍ୟାନ୍ୟ ଅଳଙ୍କାର ନେଇଯାଇଛନ୍ତି ଚୋର ।
ସେହିପରି ହନୁମାନ ମନ୍ଦିର ତାଲା ଭାଙ୍ଗି ହୁଣ୍ଡି ଵାକ୍ସ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି । ଗ୍ରାମବାସୀ ସକାଳେ ମନ୍ଦିରରୁ ଚୋରି ହୋଇଥିବା ଦେଖି ପୁରୁଣା ବଜାର ପୋଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।