Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୀମସାର ଏବେ ତଳ ମୁହାଁ: ପ୍ରସୂତି ଓ ସ୍ତ୍ରୀରୋଗ ୱାର୍ଡରୁ ନବଜାତ ଶିଶୁ ଚୋରୀ

ସମ୍ବଲପୁର:ଭେଣ୍ଟିଲେଟର ଭିତରେ ଶୋଇଥିବା ଭୀମସାରରୁ ହୋଇଛି ନବଜାତ ଶିଶୁ ଚୋରୀ।ଏହି ଗୁରୁ ଗମ୍ଭୀର ଘଟଣାକୁ ନେଇ ପୋଲିସ ଓ ଭୀମସାର କର୍ତ୍ତ୍ତୃପକ୍ଷ ହେଲେଣି ନାକେଦମ।
ଏଭଳି ଅଭାବନୀୟ ଘଟଣା ଘଟିଛି ଭୀମସାର ପ୍ରସୂତି ଓ ସ୍ତ୍ରୀ ରୋଗ ୱାର୍ଡ ଭିତରେ। ପଡୋଶୀ ରାଜ୍ୟ ଛତିଶଗଡ଼ ରାଜ୍ୟର ଏକ ୨ ଦିନର ନବଜାତ ଶିଶୁ କୁ ଭୀମସାରରୁ କେହି ଉଠାଇନେବା ଘଟଣା ଓଡିଶା ରାଜ୍ୟ ତଥା ଭୀମସାର ମୁହଁକୁ ତଳକୁ କରିଦେଇଛି। ସୂଚନା ମତେ ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବସନା ଥାନା ଅନ୍ତର୍ଗତ ବଡେସଜାପାଲି ଗ୍ରାମର ମୋହନ ଦାସଙ୍କ ପତ୍ନୀ ସୀତା ପ୍ରସବ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଅବସ୍ଥା ଗୁରୁତର ଥିବାରୁ ୨୪ ତାରିଖରେ ସେଠାକାର ଡାକ୍ତର ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେବାରୁ ସେମାନେ ବୁର୍ଲା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଭର୍ତ୍ତି ହେବା ପରେ ୨୫ ତାରିଖ ଭୋର ସକାଳେ ସୀତାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ପ୍ରସବ ପରେ ଜଣେ ଅଜଣା ମହିଳା ଏହି ପରିବାରର ନିକଟତର ହୋଇ ସାହାଯ୍ୟ ଓ ସହଯୋଗ ବାହାନାରେ ଆତ୍ମୀୟତା ସୃଷ୍ଟି କରିଥିଲା। ଏହି ପରିବାର ଭୀମସାର ପ୍ରତି ଅଜ୍ଞ ଥିବାରୁ ସମ୍ବଲପୁରର ପରିଚୟ ଦେଇଥିବା ଏହି ମହିଳାଙ୍କୁ ବିଶ୍ୱାସରେ ନେଇଥିଲେ। ପ୍ରସୂତି ମହିଳାଙ୍କ ସହ ତାଙ୍କ ଭଉଣୀ ମଧୁ ମଧ୍ୟ ଆସିଥିଲେ। ସେମାନଙ୍କ ନିତ୍ୟ କର୍ମ ସମୟରେ ଏହି ମହିଳା ଜଣଙ୍କ ନବଜାତ ଶିଶୁକୁ କୋଳେଇ ଧରିବା କୋଳରେ ଧରିବା ମଧ୍ୟ୍ୟ ସିସି କ୍ୟାମେରାରେ କଏଦ ହୋଇଛି। କେଵଳ ସେତିକି ନୁହେଁ, ବିଶ୍ୱାସ ଓ ଆତ୍ମିୟତା ବାହାନାରେ ନବଜାତ ଶିଶୁକୁ ଧରି ବେଶ ଆରାମରେ ବାହାରକୁ ବାହାରୁଥିବା ଦୃଶ୍ୟ ମଧ୍ୟ୍ୟ ସିସି ଟିଭିରେ ରହିଛି। ଏଠାରେ ପ୍ରଶ୍ନ ଉଠୁଛି ନବଜାତ ଶିଶୁ ଯତ୍ନ ପାଇଁ ସରକାରୀ କଟକଣା ରହିଛି। ମା କିମ୍ବା ନିଜ ପରିବାର ଆତ୍ମୀୟ ସ୍ୱଜନ ବା ସହାୟକ ହାତ ଧୋଇ ନବଜାତକୁ ସ୍ଵର୍ଶ୍ପ କରିପାରିବେ। ତା ବାହାରେ ଅତିକମରେ ୮ ଦିନ ପାଇଁ ନବଜାତ ଶିଶୁକୁ ଅନ୍ୟ କେହି ଧରିବା ବାରଣ ରହିଛି। କିନ୍ତୁ ଗବେଷଣା ପାଇଁ ଥିବା ବୁର୍ଲା ଭୀମସାର ଭିତରେ ଏଭଳି ହୁଗୁଳା ଲଙ୍ଗଳା ବିଷୟ ଏହି ପ୍ରତିଷ୍ଠାନର ମୁହଁକୁ ଛୋଟ କରିଦେଇଛି।ଏହି ଘଟଣାକୁ ନେଇ ପୁଲିସ ସହରର ବିଭିନ୍ନ ସ୍ଥାନରେ ବ୍ଲକିଙ୍ଗ ଓ ଚଢ଼ାଉ କରି ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଭୀମସାର କର୍ତ୍ତ୍ତୃପକ୍ଷ ମଧ୍ୟ ନିଜ ଆଡୁ ଏକ ଦଳ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି। ନବଜାତ ଶିଶୁ ପୁତ୍ରର ବାପା ମୋହନ ଦାସ ଏନେଇ ଭୀମସାର ଫାଣ୍ଡି ଓ ବୁର୍ଲା ଥାନାରେ ଏକ ଏତଲା ଦେଇଛନ୍ତି। ବର୍ତ୍ତମାନ ସିସି ଟିଭିର ତନାଘନା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ଅନିଲ ପ୍ରଧାନ ଓ ହୀରାକୁଦ ଏସଡ଼ିପିଓ ଅମ୍ବିତ ମହାନ୍ତି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଭୀମସାର ଅଧିକ୍ଷକ ଡା. ଲାଲମୋହନ ନାୟକ ମଧ୍ୟ ଘଟଣା ର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଘଟଣାକୁ ଭୀମସାର ଇତିହାସରେ ପ୍ରଥମ କହିଛନ୍ତି ଭୀମସାର ନିର୍ଦ୍ଦେଶକ ଡା. ଭାବଗ୍ରାହୀ ରଥ। ତେବେ ଘଟଣା ପ୍ରଥମ ହୋଇଥିଲେବି ନବଜାତ ଶିଶୁ ଚୋରୀ ଏକ ଗମ୍ଭୀର ବିଷୟ ଓ ଏଥିରେ ଗାମ୍ଭୀର୍ଯ୍ୟ ରହିଥିବା ବିଷୟକୁ ଅଣଦେଖା କରିବା ମଧ୍ୟ୍ୟ ଠିକ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ