Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁଁ ଉପୁଜିଛି ନାନା ସମସ୍ୟା, ସ୍କୁଲରେ ଅନେକ ଅନିୟମିତତା; ଗତକାଲି ଏସଏସଡି ଛାତ୍ରୀ ନିବାସରେ ଜଣେ ଅସାମାଜିକ ଯୁବକ ପଶି କରିଛି ଦୌରାତ୍ମ୍ୟ…ଜାଣି ଶୁଣି ଏତଲା ଦିଆଗଲା ନାହିଁ

ଜମନକିରା : ଜମନକିରା ବ୍ଲକ ସରଡା ସରକାରୀ ବିଦ୍ୟାଳୟରେ ଥିବା ଏସଏସଡି ଛାତ୍ରୀ ନିବାସରେ ଜଣେ ଅସାମାଜିକ ଯୁବକ ଛାତ୍ରୀ ନିବାସରେ ପଶି ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରି ମେଟ୍ରନଙ୍କ ମୋବାଇଲ ଲୁଟି ନେଇଥିବା ଜଣା ପଡ଼ିଛି। ତେବେ ବିଶ୍ଵସ୍ଥ ସୂତ୍ରରୁ ଉକ୍ତ ଯୁବକ ଜଣକ ରୋଷେଇ କରୁଥିବା ଜଣେ ମହିଳା ଙ୍କ ପୁଅ ବୋଲି ଜଣାଯାଇଛି। ଏହା ଆଗରୁ ଏନେକ ଥର ଏହି ଘଟଣା ଘଟିଛି। ତେବେ ପ୍ରଧାନ ଶିକ୍ଷୟିତ୍ରୀ ଏହାକୁ ଜାଣି ଶୁଣି ଚପେଇବା ପାଇଁ ଚେଷ୍ଟା କରିଛନ୍ତି। ସେ କୁଆଡେ ଏନେଇ ଥାନାରେ ଏତଲା ଦାୟର କରିଥିବା କଥା ଅଧିକାରୀଙ୍କୁ ଜଣେଇ ଥିବା କଥା କହୁଥିବା ବେଳେ ପ୍ରକୃତରେ କୌଣସି ଏତଲା ହୋଇ ନଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏହି ସ୍କୁଲର ଛାତ୍ରୀ ନିବାସ ସ୍କୁଲ ଠାରୁ ଏକ କିଲୋମିଟର ଦୂରରେ ଥିବା ବେଳେ ଘଞ୍ଚ ଜଙ୍ଗଲ ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତି ଛାତ୍ରୀ ମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ପ୍ରତ୍ୟେକ ଦିନ ଛାତ୍ରୀମାନେ ୧ କିଲୋମିଟର ଚାଲି ଚାଲି ଜଙ୍ଗଲ ରାସ୍ତାରେ ସ୍କୁଲ କୁ ପାଠ ପଢ଼ିବା ପାଇଁ ଆସିଥାନ୍ତି। ଯେହେତୁ ବଡରମା ଅଭୟାରଣ୍ୟ ମଧ୍ୟରେ ସ୍କୁଲ ଓ ହଷ୍ଟେଲ ଅବସ୍ଥିତ। ଛାତ୍ରୀ ମାନଙ୍କ ପ୍ରତି ଅନେକ ପ୍ରକାର ସମସ୍ୟା ରହିଛି। ତେବେ ଏଥିପ୍ରତି ସ୍କୁଲ କର୍ତ୍ତୃପକ୍ଷଙ୍କ ନଜର ନଥିବା ବେଳେ ଅଧିକାରୀ ମାନଙ୍କ ମଧ୍ୟ ନଜର ରହୁନଥିବା ଅଭିଯୋଗ ହେଉଛି। ଏହି ସ୍କୁଲ ଅଧୀନରେ ଏକ ବାଳକ ଛାତ୍ରାବାସ ଏବଂ ଏକ ବାଳିକା ଛାତ୍ରୀ ନିବାସ ରହିଛି। ସରକାରୀ ଭାବେ ସ୍କୁଲ କର୍ତ୍ତୃପକ୍ଷ ଏସଟିଏସସି ବିଭାଗ କୁ ୧୫୫ ଜଣ ଛାତ୍ର ଛାତ୍ରୀ ଅବସ୍ଥାନ କରୁଥିବା କଥା ଦର୍ଶାଇଛନ୍ତି। ବାସ୍ତବରେ ୧୧୦ ଭିତରେ ଛାତ୍ରୀ ଛାତ୍ର ଅବସ୍ଥାନ କରୁଥିବା କଥା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ ସ୍କୁଲ କର୍ତ୍ତୃପକ୍ଷ ଖାତା ପତ୍ରରେ ଅଧିକ ଦେଖାଉଥିବା କହିଛନ୍ତି। ମଧ୍ୟାହ୍ନ ଓ ରାତ୍ର ଭୋଜନ ରେ ମଧ୍ୟ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ବାର ଅନୁସାରେ ଖାଦ୍ୟ ପ୍ରସ୍ତୁତ ହୋଇ ଛାତ୍ରୀ ଛାତ୍ର ଙ୍କୁ ଦେବା କଥା କିନ୍ତୁ ଏଥିରେ ମଧ୍ୟ ଅନିୟମିତତା। ହେଉଥିବା ଜଣା ଯାଇଛି। ଜଣେ ଛାତ୍ରୀ ପ୍ରତି ୧୫୦ ଗ୍ରାମ ମାଂସ ଦେବା ବଦଳରେ ୧୦୦ ଗ୍ରାମରୁ କମ୍ ଦିଆଯାଉଛି। ଡାଲି ଯୋଉଦିନ ଦେବା କଥା ତାହା ମଧ୍ୟ ଦିଆଯାଉନାହିଁ। ପ୍ରକୃତରେ ହଷ୍ଟେଲ ଦାୟିତ୍ୱରେ ଦୁଇ ଜଣ ସୁପରିଣ୍ଡେଣ୍ଟ ରହିବା କଥା। ମାତ୍ର ପ୍ରଧାନ ଶିକ୍ଷୟିତ୍ରୀ ଦୁଇ ହଷ୍ଟେଲ କୁ ମାଡି ବସିଛନ୍ତି। ଏହି ସ୍କୁଲରେ ଜଣେ ଯୋଗ୍ୟ ପ୍ରଧାନ ଶିକ୍ଷକ ଙ୍କୁ ନିଯୁକ୍ତି ଦିଆ ଯିବା କଥା ମାତ୍ର ଉଚ୍ଚ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରି ଜଣେ ପ୍ରଧାନ ଶିକ୍ଷକ ପାଇଁ ଯୋଗ୍ୟ ନଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱରେ ରଖିଛନ୍ତି। ଯଦ୍ୱାରା ସ୍କୁଲ ଓ ହଷ୍ଟେଲରେ ଅନେକ ସମସ୍ୟା ଦେଖା ଦେଉଛି। ପ୍ରଧାନ ଶିକ୍ଷୟତ୍ରୀ ଜଣକ ଜମନକିରା ଷଣ୍ଢପଥରରେ ଥିବା ନିଜ ଘରୁ ଯା ଆସ କରି ସ୍କୁଲ ଚଲାନ୍ତି। ସେଥିପାଇଁ କେତେ ବେଳେ ଯାଆନ୍ତି ତ କେତେ ବେଳେ ବିଳମ୍ବରେ ତ କେତେ ବେଳେ ଯାଇ ବି ନଥାନ୍ତି। ଦୁଇ ହଷ୍ଟେଲ ର ଦାୟିତ୍ଵ ମଧ୍ୟ ନିଜ ହାତରେ ରଖି ଥିବାରୁ ଅନେକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଯୋଗୁଁ ଏଭଳି ସମସ୍ୟା ଦେଖା ଦେଇଛି। ତେଣୁ ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଅବିଳମ୍ବେ ନିଲମ୍ବିତ କରିବା ସହ ତାଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ଯୋର ଧରିଛି।
ଏସଂକ୍ରାନ୍ତରେ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳଙ୍କୁ ୯୪୩୭୨୫୦୭୪୪ ନମ୍ବର ମୋବାଇଲରେ ଯୋଗାଯୋଗ କରାଯାଇଥିଲା, ମାତ୍ର ସେ ଫୋନ ନ ଉଠେଇବାରୁ ତାଙ୍କ ମତାମତ ନିଆଯାଇ ପାରିନଥିଲା। ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ ମୁରଲୀ ବେହେରାଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ। ଏସଏସଡି ବିଭାଗ ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ଅନିଭା ନାୟକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ କରିଛନ୍ତି ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories