ସବୁ ଥାନା ଓ ଫାଣ୍ଡିରେ ସିସିଟିଭି ଲଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ


କଟକ: ୨୦୨୫ ମାର୍ଚ୍ଚ ୩୧ ତାରିଖ ଶୁଦ୍ଧା ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା । ୩୧ ତାରିଖ ସୁଦ୍ଧା ସିସିଟିଭି ଲଗାଇବା କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ନେଇ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ରାୟ କରିଛନ୍ତି ହାଇକୋର୍ଟ । ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ସେହି ତାରିଖ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ ସେ ନେଇ ରାଜ୍ୟ ସରକାର ଜାରି କରିଥିବା SOPକୁ କଡାକଡି ପାଳନ କରିବାକୁ ମଧ୍ୟ ହାଇକୋର୍ଟ କହିଛନ୍ତି । ସମସ୍ତ ପୋଲିସ କର୍ମଚାରୀଙ୍କୁ SOP ବାବଦରେ ଜଣାଇବା ପାଇଁ ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ଓଡ଼ିଆ ଭାଷାରେ SOPକୁ ବ୍ୟାପକ ଭାବେ ପ୍ରଚାର କରିବାକୁ ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।

ପୋଲିସ ADG ଦୟାଲ ଗଙ୍ଗୱାର ଦାଖଲ କରିଥିବା ସତ୍ୟପାଠକୁ ସରକାର ଓ ପୋଲିସ ମୁଖ୍ୟାଳୟ କଡାକଡି ଭାବେ ପାଳନ କରିବେ ବୋଲି ଆଶା ବ୍ୟକ୍ତ କରି ନିଜ ଆଡୁ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ ।

ଗତ ସେପ୍ଟେମ୍ବର ୧୫ ତାରିଖ ରାତିରେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତ ଥାନାରେ ପୋଲିସ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଆଇଆଇସି ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି ।

ଏହି ମାମଲା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା । ସେତେବେଳେ ସିସିଟିଭି ଥାନାରେ ନଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା । ଭରତପୁର ଆଦର୍ଶ ଥାନା ହୋଇଥିବା ବେଳେ କିପରି ସେଠାରେ ସିସିଟିଭି ଲାଗି ନାହିଁ, ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହାଇକୋର୍ଟ ଭରତପୁର ମାମଲାର ଶୁଣାଣି କରିବା ସମୟରେ ରାଜ୍ୟର କେଉଁ ଥାନାରେ ସିସିଟିଭି ଲାଗିଛି ଓ କେଉଁ ଥାନାରେ ସିସିଟିଭି ଲାଗିନାହିଁ ସମସ୍ତ ସ୍ଥିତି ଜଣାଇବାକୁ ଏଡିଜି ଆଧୁନିକୀକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।