ଦିଲ୍ଲୀ: ଏସିଡ୍ ଆକ୍ରମଣ ଓ ଦୁଷ୍କର୍ମ ପୀଡିତା ମାଗଣା ଚିକିତ୍ସା ଯୋଗାଇ ଦିଅ । ଏମାନଙ୍କଠାରୁ ହସ୍ପିଟାଲ ପକ୍ଷରୁ ଚିକିତ୍ସା ଫି’ ଆଦାୟ କରିବା ଦଣ୍ଡନୀୟ ଅପରାଧ । ପୀଡିତାଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ହସ୍ପିଟାଲ ବାଧ୍ୟ । ଦୁଷ୍କର୍ମ, ଏସିଡ୍ ଆକ୍ରମଣ ଓ ଯୌନ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମାଗଣା ଚିକିତ୍ସା ପାଇଁ କୌଣସି ସରକାରୀ ବା ଘରୋଇ ହସ୍ପିଟାଲ୍ ଅବା ନର୍ସିଂହୋମ୍ ମନା କରିପାରିବେ ନାହିଁ । ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।
ଜଷ୍ଟିସ୍ ପ୍ରତିଭା ଏମ୍ ସିଂହ ଓ ଜଷ୍ଟିସ୍ ଅମିତ ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ମାମଲାରେ ସୋମବାର ଏକାଧିକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅଦାଲତ ଓ ଦିଲ୍ଲୀ ରାଜ୍ୟ ଆଇନ ସେବା ପ୍ରାଧିକରଣର ବାରମ୍ବାର ହସ୍ତକ୍ଷେପ ସତ୍ତ୍ୱେ ନିଜ ବାପାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ଜଣେ ପୀଡ଼ିତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା । ଏହି ମାମଲାର ଶୁଣାଣି ବେଳେ ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି ।
ଅଦାଲତଙ୍କ ଏହି ନିର୍ଦ୍ଦେଶନାମାକୁ କେନ୍ଦ୍ର ଓ ରାଜ୍ୟ ପାଣ୍ଠିରେ ପରିଚାଳିତ ସମସ୍ତ ଅନୁଷ୍ଠାନ, ଘରୋଇ ହସ୍ପିଟାଲ, କ୍ଲିନିକ୍ ଓ ନର୍ସିଂହୋମଗୁଡ଼ିକୁ ଅନୁପାଳନ କରିବାକୁ ହେବ ବୋଲି ଜଷ୍ଟିସ ପ୍ରତିଭା ଏମ୍. ସିଂ ଏବଂ ଅମିତ୍ ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯୌନ ନିର୍ଯାତନା ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ମନା କରିବା ଏକ ଅପରାଧ । ସମସ୍ତ ଡାକ୍ତର, ପ୍ରଶାସନ, ଅଧିକାରୀ, ନର୍ସ, ପାରାମେଡିକାଲ୍ କର୍ମଚାରୀଙ୍କୁ ଏ ବିଷୟରେ ଅବଗତ କରାଯିବା ଉଚିତ୍ । ଏହାସହ ଡାକ୍ତରଖାନାଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଅଦାଲତ କହିଛନ୍ତି, ଦିଲ୍ଲୀର ପ୍ରତ୍ୟେକ ଚିକିତ୍ସା କେନ୍ଦ୍ରରେ ଯୌନ ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ, ଏସିଡ୍ ଆକ୍ରମଣର ପୀଡ଼ିତାଙ୍କ ପାଇଁ ମାଗଣାରେ ଚିକିତ୍ସା ଉପଲବ୍ଧ ଅଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ବୋର୍ଡ ଲଗାଇବେ । ରୋଗୀ ଆବଶ୍ୟକତା ଅନୁଯାୟୀ ହସ୍ପିଟାଲରେ ଆଡମିସନ ନେଇ ଚିକିତ୍ସିତ ହେଉ ବା ବାହାରୁ ଆସି ଚିକିତ୍ସିତ ହେଉ ନା କାହିଁକି ଉଭୟ ପରିସ୍ଥିତିରେ ହସ୍ପିଟାଲଗୁଡ଼ିକ ମାଗଣା ଚିକିତ୍ସା ପ୍ରଦାନ କରିବେ ।