ପୁରୀ: ଗୋଟିଏ ରାତିର ଅନ୍ତର । ରାତି ପାହିଲେ ନୂଆବର୍ଷ । ବର୍ଷର ଶେଷ ଦିନ ଓ ନୂଆବର୍ଷର ପ୍ରଥମ ଦିନରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ପୁରୀରେ ଅସମ୍ଭାଳ ଭିଡ଼ । ସମୟ ସହ ତାଳ ଦେଇ ବଢ଼ିବାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି ଶ୍ରଦ୍ଧାଳୁ । ଭିଡ଼ ନିୟନ୍ତ୍ରଣ କରିବାକୁ ନାକେଦମ୍ ହେଲାଣି ପୋଲିସ । ବର୍ଷ ଶେଷରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏଭଳି ଜନସମାଗମ ହୋଇଛି । ରାଜ୍ୟ ତଥଶ ଦେଶ ବିଦେଶରୁ ଆସୁଛନ୍ତି ଶ୍ରଦ୍ଧାଳୁ । ମାର୍କେଟ ଛକ ଯାଏଁ ବ୍ୟାରିକେଡ୍ ଲମ୍ବିଛି । ଆଜିଠୁ ଆହୁରି ଭିଡ଼ ହେବାର ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି କେବଳ ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ ।
ଆଜିଠୁ ଦୁଇ ଦିନ ମାର୍କେଟ ଛକଠାରୁ ନୋ ଭେହିକିଲ୍ ଜୋନ୍ ହେବ । ଶାନ୍ତିଶୃଙ୍ଖଳା ନିମନ୍ତେ ମୁତୟନ ହୋଇଛନ୍ତି ୬୦ ପ୍ଲାଟୁନ ଫୋର୍ସ । ସେହିପରି ଟ୍ରାଫିକ କଣ୍ଟ୍ରୋଲ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପଟରୁ ଆସୁଥିବା ଗାଡ଼ି ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରିଛି ପ୍ରଶାସନ । ଅତ୍ୟଧିକ ଭିଡ଼ ଯୋଗୁଁ ଗତକାଲି ବଡ଼ଦାଣ୍ଡରେ ଠେଲାପେଲା ପରିସ୍ଥିତି ଉପୁଜିଥିବା ବେଳେ ୧୦ ଜଣ ତଳେ ପଡ଼ି ଆହତ ହୋଇଥିଲେ ।