ପ୍ରଶାସନର ଦୃଷ୍ଟି ଆଢୁଆଳରେ ରତନ ସାଗର ପିକିନିକ ସ୍ପଟ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ ପାଇଁ ଦାବି


ପ୍ରଶାସନର ଦୃଷ୍ଟି ଆଢୁଆଳରେ ରତନ ସାଗର ପିକିନିକ ସ୍ପଟ
ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ ପାଇଁ ଦାବି
ଝାରସୁଗୁଡା ୩/୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସମରବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଡ଼ାବଗା ଗାଁ ନିକଟରେ ଥିବା ହୀରାକୁଦ ଜଳଭଣ୍ଡାର ବିସ୍ତୀର୍ଣ୍ଣ ଜଳରାଶି ତଟରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ରତନ ସାଗର ପିକିନିକ ସ୍ପଟ । ବର୍ତ୍ତମାନ ଭଣଭୋଜି ଋତୁ ଯୋଗୁଁ ପ୍ରାୟ ପ୍ରତ୍ୟେକ ଦିନ ଏହି ସ୍ଥାନକୁ ବହୁ ଦୂର ଦୂରାନ୍ତରୁ ଲୋକଙ୍କ ସୁଅ ଛୁଟୁଛି । କିନ୍ତୁ ଉକ୍ତ ମନୋରମ ସ୍ଥାନଟି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ଯୋଗୁଁ ଏଠାରେ କୌଣସି ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ ହେଉନାହିଁ । ଯାହା ଫଳରେ ଏଠାକୁ ବଣଭୋଜି ପାଇଁ ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।
ସୂଚନା ଥାଉକି ଏନଏଚ ୪୯ ଗୋବିନ୍ଦପୁର ଛକରୁ ମାତ୍ର ପ୍ରାୟ ୨ କିମି ଦୂରତାରେ ଅବସ୍ଥିତ ବଣ ଜଙ୍ଗଲ ମଧ୍ୟରେ ପରିବେଷ୍ଟିତ ଏହି ପ୍ରାକୃତିକ ମନୋରମ ସ୍ଥାନଟି । ବ୍ରିଟିଶ ଶାସନ ଅମଳର ତତ୍କାଳୀନ କୁଡ଼ାବଗା ଜମିଦାର ସ୍ବର୍ଗତ ରତନ ସିଂହ ଙ୍କ ନାମ ଅନୁସାରେ ଉକ୍ତ ସ୍ଥାନର ନାମ ରତନ ସାଗରରେ ନାମିତ କରା ଯାଇଥିବା ପୂର୍ବତନ ସରପଞ୍ଚ ଉତ୍ତମ ନେଗୀ କହିଛନ୍ତି । ଉକ୍ତ ସ୍ଥାନକୁ ଯିବାପାଇଁ ଗୋବିନ୍ଦପୁର ଗାଁ ଠାରୁ ପିକିନିକ ସ୍ପଟ ପର୍ଯ୍ୟନ୍ତ ଏକ ଆବଡ଼ା ଖାବଡା କଚ୍ଚା ରାସ୍ତା ରହିଛି । ଏହା ସତ୍ବେ ମଧ୍ୟ ବଣଭୋଜି ପାଇଁ ଏଠାରେ ବହୁ ଲୋକଙ୍କ ସମାଗମ ହେଉଛି । ଯଦି ପ୍ରଶାସନ ପକ୍ଷରୁ ଯାତାୟାତ ପାଇଁ ଭଲ ରାସ୍ତା ନିର୍ମାଣ, ଶିଶୁ ଉଦ୍ୟାନ, ନୌକା ବିହାର ବ୍ୟବସ୍ଥା,ବଣଭୋଜି ପାଇଁ ପିଣ୍ଡି ନିର୍ମାଣ ଆଦି ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯାଏ । ତାହେଲେ ଏହି ମନଲୋଭା ସ୍ଥାନଟି ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବ ବୋଲି ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତୁଷାରାମ ପଧାନ ପ୍ରକାଶ କରିଛନ୍ତି । ତେଣୁ ଉକ୍ତ ସ୍ଥାନକୁ ପ୍ରଶାସନିକ ଅଧିକାରୀ ମାନେ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।