ମହିଳା ଓ ଶିଶୁ ରୋଗ ସଚେତନତ। କାର୍ଯ୍ୟକ୍ରମ


ଜମନକିରା: ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକର ବିରସିଙ୍ଗଗଡ ପଞ୍ଚାୟତର ବିରସିଙ୍ଗଗଡ ଓ ଇଚ୍ଛାପାଳ ଠାରେ ଆଜି ମହିଳା ଓ ଶିଶୁ ରୋଗ ସହିତ କୈଶୋର ସ୍ୱାସ୍ଥ୍ୟ ଉପରେ ଏକ ସଚେତନତା ସଭା ସହିତ ବିଭିନ୍ନ ରୋଗର ପରାମର୍ଶ ଦିଆଯାଇଥିଲା । ମହାନଦୀ କୋଲ୍ଡ ଫିଲ୍ଡ (ଏମସିଏଲ) ସହାୟତାରେ ବାଏଫ ପକ୍ଷରୁ ଏହା ଆୟୋଜନ ହୋଇଥିଲା । ପ୍ରାରମ୍ଭରେ ବାଏଫର ପ୍ରୋଜେକ୍ଟ ଅଫିସର ପବନ କୁମାର ବଟକ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିବା ବେଳେ ଜଏଣ୍ଟ ପୋଗ୍ରାମ ଅଫିସର ସ୍ମିତାରାଣୀ ପଟ୍ଟନାୟକ ମହିଳା ଓ କିଶୋରୀ ବାଳିକାଙ୍କ ପାଇଁ ସାନିଟାରୀ ପ୍ୟାଡ ବ୍ୟବହାର ସଂପର୍କରେ ବୁଝାଇଥିଲେ । ଏଥିରେ ଡା.ରାଜାରାମ ଷଡଙ୍ଗୀ ମହିଳା,କୈଶୋର ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ପେୟ,ସ୍ୱଚ୍ଛତା, ଦିନ ଓ ରାତ୍ର ଚର୍ଯ୍ୟା ସହିତ ଜୀବନ କୌଶଳ ଉପରେ ବୁଝାଇଥିଲେ । ଏହା ଅଭାବରେ ରକ୍ତହୀନତା,ଅଣ ସଂକ୍ରାମକ ରୋଗ,ମାନସିକ ଅଶାନ୍ତି, ଦୁର୍ବଳତା,କ୍ଷୁର୍ଣ୍ଣ ସ୍ୱାସ୍ଥ୍ୟ ପ୍ରଭୃତି ଲକ୍ଷଣ ଦ୍ୱାରା କିଭଳି ସଂସାର ଉପରେ ବୋଝ ସୃଷ୍ଟି ହୁଏ ବିଭିନ୍ନ ଉଦାହରଣ ମାଧ୍ୟମରେ ଏହାକୁ ବୁଝାଇଥିଲେ । ଆୟୋଜିତ ଏହି ସଚେତନତା ସଭାରେ ଉଭୟ ଗ୍ରାମର ସିଆରପି ଆଶା ଓ ଅଙ୍ଗନୱାଡି ଦିଦି ମାନେ ମଧ୍ୟ ଉପସ୍ଥିତ ରହି ସେମାନଙ୍କ ସେବା ଦିଗରେ ଅବଗତ କରାଇଥିଲେ ।