ପୁରୀ: କଣାସ ଅଞ୍ଚଳରେ ଝାଡ଼ାବାନ୍ତି ଥମିବାର ନାଁ ନେଉନି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ମୃତକ ହେଲେ ଜାଗୁଳେଇ ପଦରର ଜହ୍ନି ବେହେରା । ଝାଡ଼ାବାନ୍ତି ହେବାରୁ ଗତକାଲି ପୁରୀରୁ ଭୁବନେଶ୍ୱରକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ କଣାସ ଅଞ୍ଚଳରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।
ସେପଟେ ଜାଗୁଳାଇ ପଦରରୁ ଆହୁରି ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ କଣାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନେ ସମସ୍ତେ ଦୟା ନଦୀର ପାଣି ବ୍ୟବହାର କରୁଥିଲେ ବୋଲି ଜଣାପଡ଼ିଛି । ପ୍ରାୟ ୨୦ ଦିନ ହେଲାଣି ଏହି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି । କୁହାଯାଉଛି ବିଭିନ୍ନ ଗାଁର ଦୁଇ ଶହର ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ । ପ୍ରଶାସନ ପକ୍ଷରୁ ସ୍ଵୀକାର କରାଯାଇଥିଲା, କୋଲି ବ୍ୟାକଟେରିଆ ନମୁନାରୁ ମିଳିଥିଲା ।
ବିଶେଷ କରି ଦୟା ଓ ଅନ୍ୟାନ୍ୟ ନଦୀର ପାଣି ବ୍ୟବହାର କରୁଥିବା ଗାଁର ଲୋକେ ଆକ୍ରାନ୍ତ ହୋଇଛନ୍ତି । ଏହି ସବୁ ନଦୀର ପାଣି ବହୁତ ପ୍ରଦୂଷିତ ହୋଇଥିବାରୁ ଝାଡ଼ାବନ୍ତି ବ୍ୟାପୁଛି । ପୁଣି ନୂଆ ରୋଗୀ ଚିହ୍ନଟ ହେବା ଦ୍ଵାରା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ି ଯାଇଛି । ରାଜ୍ୟ ସରକାର କଣାସ ଅଞ୍ଚଳରେ ଝାଡ଼ାବାନ୍ତିକୁ ରୋକି ପାରି ନାହାନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି ।