ବାଲେଶ୍ବର: ଆଜି ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପୁଅ ମାଟ୍ରିକ ପରୀକ୍ଷା ଦେବାକୁ ଯିବ । ଏତିପାଇଁ ଘରେ ଥିଲା ଖୁସିର ମାହୋଲ । ପୁଅର ପରୀକ୍ଷା କେମିତି ଭଲ ହେବ ସେଥିପାଇଁ ମାଆବାପା ଠାକରଙ୍କ ପାଖରେ ପ୍ରାର୍ଥନା କରୁଥିଲେ । ସମୟ ଆସିଗଲା ପୁଅ ପରୀକ୍ଷା ଦେବାକୁ ପ୍ରସ୍ତୁତ ବି ହୋଇ ସାରିଥିଲା । ହେଲେ ହଠାତ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ । ସେଠାରେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।
ଏମିତି ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାରିପଦା ଗାଁରେ ଘଟିଛି । ମୃତ ଛାତ୍ର ହେଲେ ଗାଁର କୈଳାଶ ଚନ୍ଦ୍ର ମାଝୀଙ୍କ ପୁଅ ଚନ୍ଦ୍ରଶେଖର ମାଝୀ । ସେ ଆରୁହାବାଡ଼ ହାଇସ୍କୁଲରେ ପଢନ୍ତି । ଗତ ତିନିଦିନ ତଳେ ଘର ପାଖରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇ ଚିକେନ ଖାଇଥିଲେ । ସେହିଦିନ ରାତିରେ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରୁ ସାମାନ୍ୟ ସୁସ୍ଥତା ଅନୁଭବ କରିବା ପରେ ଘରକୁ ଫେରିଥିଲେ । ମାତ୍ର ପେଟ ବ୍ୟଥା କମି ନଥିଲା । ଆଜି ପରୀକ୍ଷା ଦେବା ପାଇଁ ବାହାରିବା ବେଳେ ଅଚାନକ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ସୋର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।