ଆଜିଠୁ ଖୋଲିବ ରାସନ ପୋର୍ଟାଲ, ବାଦ ପଡ଼ିଥିବା ହିତାଧିକାରୀ କରିପାରିବେ ଆବେଦନ


ଭୁବନେଶ୍ବର:ରାସନ କାର୍ଡରୁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କ ପାଇଁ ଖୁସି ଖବର । ଆବେଦନ କରିବାକୁ ମିଳିବ ପୁଣି ସୁଯୋଗ । ବାଦ୍ ପଡ଼ିଥିବା ଯୋଗ୍ୟ ପରିବାର ପାଇଁ ଆଜିଠୁ ଖୋଲିବ ପୋର୍ଟାଲ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ମନ୍ତ୍ରୀ କହିଛନ୍ତି, ରାସନ କାର୍ଡରୁ ବାଦ୍ ପଡିଥିବା ଆବେଦନକାରୀମାନଙ୍କ ପାଇଁ ଆଜିଠୁ ପୋର୍ଟାଲ ଖୋଲିବ । ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇନାହାନ୍ତି ସେମାନେ ରାସନକାର୍ଡ ପାଇଁ ଆବେଦନ କରିପାରିବେ । ଯାଞ୍ଚ ସମୟରେ ଏଯାଏଁ ମୋଟ ୪ ଲକ୍ଷ ମୃତ ବ୍ୟକ୍ତିଙ୍କ ନାଁରେ ଥିବା ରାସନ କାର୍ଡ କଟିସାରିଲାଣି । ଆଗକୁ ମଧ୍ୟ ସର୍ଭେ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ଥିବା ରାସନକାର୍ଡ କଟିବ ।

ସୂଚନାଯୋଗ୍ୟ, ଆୟକର ଫାଇଲ କରୁଥିଲେ ବି ରାସନକାର୍ଡ କଟିବନି ବୋଲି କିଛି ଦିନ ତଳେ ଯୋଗାଣ ମନ୍ତ୍ରୀ କହିଥିଲେ । ଏଥିପାଇଁ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଲିଷ୍ଟ ସହ ଡୋର ଟୁ ଡୋର ବୁଲି ଫିଜିକାଲ ଭେରିଫିକେସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ ।

ମନ୍ତ୍ରୀ ଆହୁରି କହିଥିଲେ, ଯେଉଁମାନେ ଆୟକର ଫାଇଲ କରିଛନ୍ତି, ସେମାନଙ୍କ କାର୍ଡ କଟି ଯାଉଛି ବୋଲି ଅଭିଯୋଗ ଆସୁଛି । କିନ୍ତୁ କାହାର କାର୍ଡ କଟିବନି । ଅଧିକାରୀମାନଙ୍କ ପାଖକୁ ଲିଷ୍ଟ ଯାଇଛି । ସେମାନେ ଡୋର ଟୁ ଡୋର ବୁଲି କାହାର ଆୟ କେତେ ସର୍ଭେ କରିବା, ତା’ପରେ କାର୍ଡ କଟିବ । କାହାର କାର୍ଡ କାଟନ୍ତୁ ନାହିଁ କି ଚାଉଳ ବନ୍ଦ କରନ୍ତୁ ନାହିଁ ବୋଲି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକୃତରେ ଯିଏ ଗରିବ ଥିବ କାର୍ଡ ରହିବ, ଧନୀ ଲୋକ ହାତେଇ ଥିଲେ କଟିବ, ସେଥିପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି କଟିଛି ବିଭାଗକୁ ଜଣାନ୍ତୁ, ତଦନ୍ତ କରି ସେମାନଙ୍କୁ ସାମିଲ କରାଯିବ ବୋଲି ବୋଲି ମନ୍ତ୍ରୀ କହିଥିଲେ ।