ଦୋକାନୀ ଜିନିଷ ଦେବାରେ ବିଳମ୍ବ କରିବାରୁ ଆଙ୍ଗୁଳିକୁ କାମୁଡ଼ି ଛିଡ଼ାଇ ଦେଲେ ମଦ୍ୟପ ଯୁବକ


ଗଞ୍ଜାମ: ମଦ ପିଇ ଉତ୍ପାତ ମଚାଇଲେ ମଦୁଆ । ଦୋକାନୀ ସାମଗ୍ରୀ ଦେବାରେ ବିଳମ୍ବ କରିବାରୁ ଛିଡ଼ାଇ ଦେଲେ ଆଙ୍ଗୁଳି । ସେତିକି ନୁହେଁ, ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ବି ମାରିଲେ । ଏମିତି ଘଟଣା ଘଟିଛି ଗଞ୍ଜାମ ପାଟପୁର ଅଞ୍ଚଳରେ । ଅଭିଯୋଗ ପରେ ପୋଲିସ ୩ ମଦୁଆଙ୍କୁ ଗିରଫ କରିଛି ।

ଅଭିଯୋଗ ଅନୁସାରେ, କିଛି ମଦ୍ୟପ ଯୁବକ ପଳାସପୁର ଛକରେ ଥିବା ବ୍ୟବସାୟୀ ବରୁଣ ପାଢ଼ୀଙ୍କ ଦୋକାନକୁ ଆସି କିଛି ସାମଗ୍ରୀ ମାଗିଥିଲେ । ବ୍ୟବସାୟୀ ଜଣକ ଜିନିଷ ଦେବାରେ ବିଳମ୍ବ କରିବାରୁ ମଦ୍ୟପ ଯୁବକମାନେ ମିଶି ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାସହ ବ୍ୟବସାୟୀଙ୍କ ଡାହାଣ ହାତର ଆଙ୍ଗୁଳିକୁ କାମୁଡି ଜଣେ ଯୁବକ ଛିଡ଼ାଇ ଦେଇଥିଲେ ।

ବ୍ୟବସାୟୀଙ୍କୁ ପରିବାର ଲୋକେ ନିକଟ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଅଙ୍ଗୁଳି ଆଉ ଲାଗି ପାରିବ ନାହିଁ କହି ଚିକିତ୍ସା କରି ଛାଡିଥିଲେ । ବ୍ୟବସାୟୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ୩ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଛି ।