ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ରାଜ୍ୟ ସମାଜ ମଙ୍ଗଳବୋର୍ଡର ପୂର୍ବତନ ଅଧ୍ୟକ୍ଷା ସାବିତ୍ରୀ ଚୌଧୁରୀଙ୍କର ପରଲୋକ । ଗୁରୁବାର ରାତି ୧୧ଟାରେ ତୁଳସୀପୁର ସାହୁବଗିଚା ବାସଭବନରେ ତାଙ୍କର ପରଲୋକ ଘଟିଛି । ଗତ ଜାନୁଆରୀରେ ସେ ମସ୍ତିଷ୍କ ଆଘାତରେ ପୀଡ଼ିତ ହୋଇଥିଲେ । ତାଙ୍କୁ ପ୍ରଥମେ ଭୁବନେଶ୍ବର ଓ ପରେ କଟକର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ପରେ ଘରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଖାନନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।
ଶ୍ରୀମତୀ ଚୌଧୁରୀ ରାଜନୀତି ସହ ସମାଜସେବାରେ ସଂପୃକ୍ତ ଥିଲେ । ୨୦୦୯ରେ କଂଗ୍ରେସ ଟିକଟରେ ସେ ଚୌଦ୍ବାର-କଟକ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ଏହା ବ୍ୟତୀତ ସେ ଓଡ଼ିଶା ମହିଳା ସ୍ବେଚ୍ଛାସେବୀ ସଂଗଠନର ପ୍ରତିଷ୍ଠାତା ଓ ସଂପାଦିକା ଥିଲେ । ଓଡ଼ିଶା ନାରୀ ସେବା ସଂଘ, ସଂଯୋଗ ସମେତ କଟକ ଜିଲ୍ଲାର ବହୁ ସାମାଜିକ ସଂଗଠନ ସହିତ ସେ ସଂପୃକ୍ତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷ୍ୟଙ୍କ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି ।