ଜୟନାରାୟଣଙ୍କ ବିଭାଜନ ମନ୍ତବ୍ୟ: ରାଜନୈତିକ ବୟାନବାଜି ସହ ବଢ଼ିବାରେ ଲାଗିଛି ଅସନ୍ତୋଷ


ଭୁବନେଶ୍ବର: ସମ୍ବଲପୁର ସୁଭଦ୍ରା ସଭାରେ ବିଜେପି ବିଧାୟକ ଜୟନାୟରଣଙ୍କ ଉତ୍କଳ-କୋଶଳ ମନ୍ତବ୍ୟକୁ ନେଇ ବଢ଼ିବାରେ ଲାଗିଛି ରାଜନୈତିକ ବୟାନବାଜି । ବିରୋଧୀ ବିଜେଡି ଓ କଂଗ୍ରେସ, ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରି ସରକାରଙ୍କୁ ଘେରିଛନ୍ତି । ଅନ୍ୟପକ୍ଷେ ବିଜେପି ଜୟଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ନେଇଛି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଏହା ଜୟନାରାୟଣଙ୍କ ବ୍ୟକ୍ତିଗତ ମତ । ବିଜେପି ସରକାର ଆଞ୍ଚଳିକ ବାଦରେ ବିଶ୍ବାସ କରେନି । ମୋହନ ସରକାର ପଶ୍ଚିମ ଓଡ଼ିଶାର ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଇ ଆସୁଛନ୍ତି । ସେପଟେ ଉତ୍କଳ ସମ୍ମିଳନୀ, ଜୟନାରାୟଣଙ୍କ ମନ୍ତବ୍ୟର ତୀବ୍ର ପ୍ରତିବାଦ କରିଛି ।

‘ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ୍’ । ସରକାରୀ କାର୍ଯ୍ୟକ୍ରମରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପସ୍ଥିତିରେ ପଶ୍ଚିମ ଓଡ଼ିଶା ବିଜେପିର ବଡ଼ ଚେହେରା, ବିଧାୟକ ଜୟନାରାୟଣ ମିଶ୍ରଙ୍କ ଏ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । ବିଜେପି ଓ ଜୟନାରାୟଣଙ୍କୁ ବିରୋଧୀଙ୍କ ଶାଣିତ ଆକ୍ରମଣ । ବିଜେଡି କହିଛି ନିଜ ସ୍ବାର୍ଥ ସାଧନ ପାଇଁ ଏମିତି ବିଭେଦ ସୃଷ୍ଟି କରୁଛନ୍ତି ବିଜେପି ନେତା । ଯିଏ ଏମିତି କହୁଛନ୍ତି ଓଡ଼ିଶା ଦୁଇଭାଗ ହେଲେ ସେ ମୁଖ୍ୟମନ୍ତ୍ରୀ ହେବାର ଆଶା ବାନ୍ଧିଛନ୍ତି । ସେହିପରି କଂଗ୍ରେସ ମଧ୍ୟ ଅନୁରୂପ ହମଲା କରି ଓଡ଼ିଶାକୁ ଭାଗ ଭାଗ କରିବା କ’ଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛି ।

ବିଧାୟକ ତାରା ବାହିନୀପତି କହିଛନ୍ତି, କୋଶଳ କଥା ଉଠୁଛି, କାଲି ଦକ୍ଷିଣାଞ୍ଚଳ, ତା’ପରେ ଉତ୍ତରାଞ୍ଚଳ କଥା ଉଠିବ । ତା’ହେଲେ ଓଡ଼ିଶାକୁ ଭାଗ ଭାଗ କରିଦେବା କି ବୋଲି ପ୍ରଶ୍ନ କରିଛନ୍ତି । ତେବେ ଏହା ଜୟନାରାୟଣଙ୍କର ବ୍ୟକ୍ତିଗତ ମତ, ବିଜେପି କେବେ ଓଡ଼ିଶାକୁ ଭାଗ କରିବା ଚାହେଁନି କି ଆମ ଭିତରେ ଉତ୍କଳ-କୋଶଳ ଆଞ୍ଚଳିକ ଭେଦଭାବ ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ।

ପଶ୍ଚିମ ଓ ପୂର୍ବ ଓଡ଼ିଶା ବିବାଦ କିଛି ନୂଆ ନୁହେଁ । ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବଦା ପଶ୍ଚିମ ଓଡ଼ିଶାକୁ ଅବହେଳାର ଅଭିଯୋଗ ବହୁ ପୁରୁଣା । ସେମିତି କୋଶଳ ରାଜ୍ୟକୁ ନେଇ ଆନ୍ଦୋଳନ ବି ପୁରୁଣା । ସରକାରୀ ଅବହେଳା ବିରୋଧରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ର ଏକଦା ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି ଆନ୍ଦୋଳନର ନେତୃତ୍ବ ନେଇଥିଲା ବେଳେ କାଳକ୍ରମେ ଏହା ଶିଥିଳ ପଡ଼ି ଆସିଥିଲା । ତେବେ ଗତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହି ଅବହେଳା ପ୍ରସଙ୍ଗକୁ ପୁଣି ଉଠାଇ ଆବଶ୍ୟକ ହେଲେ ଓଡ଼ିଶା ଦୁଇଫାଳ ହେବ କହି ନିଆଁରେ ଘିଅ ଢାଳିଥିଲେ ବରିଷ୍ଠ କଂଗ୍ରେସ୍ ନେତା ନରସିଂହ ମିଶ୍ର । ଏମିତି ବିଧାନସଭାରେ ବି ଏହା କହିଥିଲେ ନରସିଂହ । ଅନ୍ୟପକ୍ଷରେ ସେହି ସମୟରେ ଅଭିନେତା ମନୋଜ ମିଶ୍ରଙ୍କୁ କିଛି ପ୍ରଯୋଜକ ବ୍ୟାନ୍ କରିବା ପ୍ରସଙ୍ଗକୁ ନେଇ ବି ଅସନ୍ତୋଷର ନିଆଁ ଜଳିଥିଲା । ଆଉ ଏବେ ଜୟନାରାୟଣଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ରଖି ସଂପୂର୍ଣ୍ଣ ସମର୍ଥନ ନକଲେ ବି ଜୟନାରାୟଣଙ୍କ କଥାକୁ ବିରୋଧ କରୁନି ବୋଲି କହିଛନ୍ତି ନରସିଂହ । ଅପରପକ୍ଷେ ଉତ୍କଳ ସମ୍ମିଳନୀ ପକ୍ଷରୁ ଏଭଳି ବିଭାଜନକାରୀ ମନ୍ତବ୍ୟର ତୀବ୍ର ନିନ୍ଦା କରାଯାଇଛି ।