ଭୁବନେଶ୍ବର: ଜିଲ୍ଲାପାଳଙ୍କ ଅଫିସ ଘେରିବ କଂଗ୍ରେସ । ନାରୀ ନିର୍ଯାତନା ପ୍ରସଙ୍ଗରେ ଆଜି କଂଗ୍ରେସର ବିକ୍ଷୋଭ । ମହିଳା ନିର୍ଯାତନାକୁ ପ୍ରସଙ୍ଗ କରି ବିଧାନସଭାରେ ଦୁଇ ଦିନ କଂଗ୍ରେସ ହଙ୍ଗାମା କରିବା ପରେ ଶନିବାର ମହିଳା ଦିବସରେ କଳାପଟି ବାନ୍ଧି ପ୍ରତିବାଦ କରିଥିଲା । ଆଜିଠୁ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ କଂଗ୍ରେସ । ସମସ୍ତ ଜିଲ୍ଲା ମୁଖ୍ୟାଳୟ ଘେରାଉ କରିବେ ନେତା ଓ କଂଗ୍ରେସ କର୍ମୀ । ମହିଳାଙ୍କ ବିରୋଧରେ ଅତ୍ୟାଚାର ବଢ଼ି ଚାଲିଥିବା ବେଳେ ଏହାକୁ ବିରୋଧ କରିବା ସହ ମହିଳାଙ୍କ ପାଇଁ ନ୍ୟାୟ ମାଗିବା ଦଳ ।
ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ତେଣୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେହିପରି ଦଳ ପକ୍ଷରୁ କୁହାଯାଇଛି, ସୁଭଦ୍ରା ଯୋଜନା ନାଁରେ ମହିଳାଙ୍କୁ ସମ୍ମାନ ଦେଉଛି ବୋଲି ଦାବି କରୁଥିବା ଦଳ ମହିଳା ନିର୍ଯାତନାକୁ ରୋକିବାରେ ବିଫଳ ହୋଇଛନ୍ତି । ବିଗତ ୮ ମାସରେ ୧୬୦୦ ମହିଳା ନିର୍ଯାତିତା ହୋଇଛି । ହେଲେ ସରକାର ମହିଳାଙ୍କୁ ସୁରକ୍ଷା ଦେବା ନେଇ କୌଣସି ପଦକ୍ଷେପ ନେଉନାହାନ୍ତି ।