ଭୁବନେଶ୍ବର: ଓଡ଼ିଶାରେ ୩ରୁ ୫ ଡିଗ୍ରୀ ଯାଏଁ ଉପର ମୁହାଁ ହେବ ପାରଦ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବୃଦ୍ଧି ପାଇବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗକୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି ।
ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଗରମ ଶୁଷ୍କ ପବନ ପ୍ରବାହ ବୃଦ୍ଧି ପାଇବ । ଏହାସହ ମେଘମୁକ୍ତ ଆକାଶ ସହ ଟାଣ ଖରା ଅଣାୟତ କରିବ । ନୂଆପଡା, ବରଗଡ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଗଜପତି ସମେତ ଭୁବନେଶ୍ବରର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ତାତି ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ରୋଗୀ, ଶିଶୁ, ବୟସ୍କ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଖରା ବୃଦ୍ଧି ସମୟରେ ଦିନ ୧୧ଟାରୁ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଯତ୍ନର ସହ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଛି । ଶ୍ରମିକମାନେ ଆଲର୍ଟରେ ଥିବା ଜିଲ୍ଲାଗୁଡିକରେ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୩ରୁ ୫ ଡିଗ୍ରୀ ବଢ଼ିବ ପାରଦ, ଜନଜୀବନକୁ ଅସ୍ତବ୍ୟସ୍ତ କରିବ ତାତି
