ବିଜେଡି ନେତା ରାଜା ଚକ୍ର ଗିରଫ


ଭୁବନେଶ୍ବର: ବିଜେଡି ନେତା ସୌମ୍ୟଶଙ୍କର ଓରଫ ରାଜା ଚକ୍ର ଗିରଫ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ରାଜାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।

କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି, ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ରାଜା ଚକ୍ରଙ୍କ ଏଜେନ୍ସି । ହେଲେ ଏହା ଆହୁରି ଅଧିକ ହୋଇପାରେ । ତେବେ ଅଡିଟ୍ ହେଲେ ସବୁ ସ୍ପଷ୍ଟ ହେବ । ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ରାଜା ଦର୍ଶାଇଛନ୍ତି । କିନ୍ତୁ କୌଣସି ପାରିପାର୍ଶ୍ବିକ ବିକାଶ ହୋଇ ନଥିବା ୨ ଜଣ ବିଡିଓ କହିଛନ୍ତି ।

କ୍ରାଇମବ୍ରାଞ୍ଚ ଡିଜି ଆହୁରି କହିଛନ୍ତି, ମା’ କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ୯ କୋଟି ଟଙ୍କା ପେମେଣ୍ଟ ହୋଇଥିବା ଦର୍ଶାଯାଇଥିବା ବେଳେ ତଦନ୍ତରେ ଜଣାପଡ଼ିଛି ଯେ GMILକୁ କୌଣସି ତେଲ ଦିଆଯାଇନାହିଁ । ରାଜା ଚକ୍ରଙ୍କ ଗାଡ଼ିକୁ ଏସବୁ ତେଲ ଦିଆଯାଇଛି । ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ବଣ୍ଟା ହୋଇଛି ୩୩ କୋଟି ଟଙ୍କା । ତେବେ ଗାଁ ଲୋକଙ୍କ ସମର୍ଥନ ପାଇଁ ଏସବୁ ଟଙ୍କା ବଣ୍ଟାଯାଇଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ।   

ବିଜେଡି ଛତ୍ରଛାୟାରେ କଳା ସାମ୍ରାଜ୍ୟ ବିଛାଇଥିଲା ରାଜା । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ରାଜା । ହାଇକୋର୍ଟ ତାଙ୍କ ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ । କେବଳ ରାଜା ନୁହେଁ, ରାଜାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଦେଇଥିଲେ । ଏହାସହ ରାଜାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଥିଲେ । ରାଜା ଚକ୍ରଙ୍କୁ ଗିରଫ ନେଇ ଥିବା ସମସ୍ତ ପ୍ରତିବନ୍ଧକ ହଟିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି । ପ୍ରଥମେ ରାଜାଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ପରେ କ୍ରାଇମବ୍ରାଞ୍ଚ ରାଜାଙ୍କୁ ଗିରଫ କରିଥିବା ଜଣାଯାଇଛି ।