ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଆସନ୍ତା ଏପ୍ରିଲ ପହିଲା ଦିନ ସାରା ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ ହେବ । ଏହାସହ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ମଧ୍ୟ ସେହିଦିନ ଶୁଭାରମ୍ଭ ହେବ । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଏହି ଯୋଜନାର ଶୁଭାରମ୍ଭ ପାଇଁ ରାଜ୍ୟର ସମସ୍ତ ୧୪୩୮ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯିବ । ବୈଠକର ତଥ୍ୟ ଅନୁଯାୟୀ ଉଭୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ୧ କୋଟି ୩ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ଉପକୃତ ହେବେ । ବ୍ୟକ୍ତିଗତ ଭାବେ ୩.୪୬ କୋଟିରୁ ଅଧିକ ଲୋକ ଉପକୃତ ହେବେ ।
ଏହି ଦୁଇଟି ଯୋଜନା ଓଡ଼ିଶାରେ ସଂଯୁକ୍ତ ଭାବରେ କାର୍ଯ୍ୟକାରୀ କରାଯିବ । ଏହି ଦୁଇଟି ଯୋଜନା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ଯୋଗାଇ ଦିଆଯିବ । ବୟୋବନ୍ଦନା ଯୋଜନାରେ ହିତାଧିକାରୀମାନେ ଅଲଗା ଏକ ସ୍ୱତନ୍ତ୍ର କାର୍ଡ ପାଇବେ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ୮୦ ହଜାରରୁ ଅଧିକ ପରିବାର ଉପକୃତ ହେବାକୁ ଥିବା ବେଳେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩୫ ଲକ୍ଷ ୮୪ ହଜାରରୁ ଅଧିକ ପରିବାର ଉପକୃତ ହେବେ । ସେହିପରି ୭୦ ବର୍ଷ ବୟସରୁ ଅଧିକ ବୟସର ଲୋକମାନଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ । ସୂଚନା ଅନୁଯାୟୀ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ସଂଖ୍ୟା ୨୩ ଲକ୍ଷ ୧୨ ହଜାର ୯୭୯ । ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ୧୭ ଲକ୍ଷ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ଥିବାରୁ ଅଧିକ ୬ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଯୋଡ଼ି ହେବେ ।
ଏହାଦ୍ୱାରା ରାଜ୍ୟର ସମୁଦାୟ ୩.୫୨ କୋଟି ଲୋକ ଉପକୃତ ହେବେ । ପ୍ରତ୍ୟେକ ପୁରୁଷ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯିବ । ଏଥିରେ ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ପ୍ରଦାନ କରାଯିବ । ଗୋଟିଏ ପରିବାରରେ ୭୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ହେବ ।
ହିତାଧିକାରୀମାନେ ଦେଶର ୨୯ ହଜାରରୁ ଅଧିକ ସରକାରୀ ଓ ପଞ୍ଜୀକୃତ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ । ସୂଚନାଯୋଗ୍ୟ, ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେବା ପାଇଁ ଜାନୁଆରୀ ୧୩ ତାରିଖ ଦିନ ନୂଆଦିଲ୍ଲୀଠାରେ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହିତ ରାଜ୍ୟ ସରକାରଙ୍କ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।