ବିଜୁଙ୍କ ଜୁଇ ଶାନ୍ତ ହୋଇ ନଥିଲା, ନବୀନ ମାଂସ ଖାଉଥିଲେ: ବିଜେପି


ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେଡି ଚିତ୍କାର କରୁଥିବା ବେଳେ ପ୍ରକୃତରେ ବିଜୁଙ୍କ ପ୍ରତି କେତେ ଦରଦ ରହିଛିଛି ତାହା ଜଣାପଡୁଛି । ବିଧାନସଭାରେ ବିଜୁଙ୍କ ଉପରେ ଆଲୋଚନା ବେଳେ ନବୀନ ନାହାନ୍ତି ? ବିଜୁ ଜୟନ୍ତୀ ପାଳନ କରିବା ନେଇ ସରକାରଙ୍କୁ ପରାମର୍ଶ ଦେବା କଥା ନବୀନ ? ବିରୋଧୀ ଦଳଙ୍କ ବିଜୁଙ୍କ ପ୍ରତି ଆବେଗ ନାହିଁ । ଯେଉଁମାନେ ବିଜୁଙ୍କ ଦାୟଦ କହୁଛନ୍ତି ସେମାନେ ବାଘଛାଲ ପିନ୍ଧି ଦେଖେଇ ହେଉଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମୁଲତବୀ ଆଲୋଚନା ବେଳେ ବିଜେଡିକୁ ଟାର୍ଗେଟ କରି ଏମିତି କହିଛନ୍ତି । ରାଜ୍ୟ ସରକାର ବିଜୁ ଜୟନ୍ତୀ ବନ୍ଦ କରିବା ନେଇ ନିଜେ ବିଜେଡି ଆଣିଥିଲା ମୁଲତବି ପ୍ରସ୍ତାବ । ହେଲେ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବିଜେପି ବିଧାୟକମାନେ ଆଲୋଚନାରେ ଭାଗ ନେଇ କହିଥିଲେ ବିଜୁଙ୍କୁ ସମ୍ମାନ ମିଳୁ । ଏଥିସହ ତାଙ୍କ ନାଁରେ ପଞ୍ଚାୟତିରାଜ ଦିବସ ପାଳିତ ହେଉ, ପ୍ରଥମେ ବିଜେଡି ସ୍ପଷ୍ଟ କରୁ । ବିଧାୟକ ବାବୁ ସିଂ ଆଉ ଗୋଟିଏ ପାଦ ଆଗକୁ ଯାଇ କହିଲେ ବିଜୁଙ୍କ ଦାହ ସଂସ୍କାର ସମୟରେ ନବୀନ ଆଇଁଷ ଖାଇଥିଲେ । ଯଦି ମୋ କଥା ଅସତ୍ୟ ତେବେ ମୁଁ ରାଜାଙ୍କ ଚପଲ ଧରି ଯିବି ବୋଲି ଖୋଲା ଚ୍ୟାଲେଞ୍ଜ କରିଥିଲେ । ବିଜୁ ବାବୁଙ୍କ ସହିତ ଯେଉଁ ରାଜନେତାମାନେ ଥିଲେ, ସେମାନଙ୍କୁ ରାଜନୈତିକ ହତ୍ୟା କରାଗଲା । ସେଇଠି ବିଜୁଙ୍କ ସ୍ୱପ୍ନ ଲୋପ ପାଇଗଲା ବୋଲି କହିଛନ୍ତି ବାବୁ ସିଂ ।

ବିଜୁ ବାବୁଙ୍କ ମୃତ୍ୟୁ ପରେ ଯିଏ ନବୀନଙ୍କୁ ରାଜନୀତିକୁ ଆଣିଥିଲେ ପ୍ରଥମେ ସେମାନଙ୍କ ରାଜନୈତିକ କ୍ୟାରିୟରକୁ ନବୀନ ହତ୍ୟା କଲେ ବୋଲି ବାବୁ ସିଂ ଅଭିଯୋଗ କରିଛନ୍ତି । ଯେଉଁମାନେ ବିଜୁଙ୍କୁ ଅସମ୍ମାନ କରୁଥିଲେ ସେମାନେ ଆଜି ଟେବୁଲ ବାଡୋଉଛନ୍ତି ବୋଲି ବିଜେପି ତାତ୍ସଲ୍ୟ କରିଛି । ବିଜୁ ବାବୁଙ୍କ ଜୟନ୍ତୀ ପାଳନକୁ ନେଇ ଗୃହରେ ଆଲୋଚନା ହେବା କେତେ ଯୁକ୍ତିଯୁକ୍ତ ବୋଲି ମଧ୍ୟ ଆରୋପ କରାଯାଇଛି । 

ବିଜେଡି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ବିଜୁ କେବଳ ଜଣେ ମୁଖ୍ୟମନ୍ତ୍ରୀ ନଥିଲେ ସ୍ବାଧୀନତା ସଂଗ୍ରାମୀ ଥିଲେ । ସେ ଭାରତର ପରିଚୟ ଥିଲେ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ଆଧୁନିକ ଓଡିଶାର ନିର୍ମାତା ଥିଲେ ବିଜୁ ପଟ୍ଟନାୟକ । ନୂଆ କ୍ୟାଲେଣ୍ଡରରେ ମାର୍ଚ୍ଚ ୫ ତାରିଖକୁ ନାଲି କରାଯାଇଥିଲା । ସରକାରୀ ଛୁଟି ତାଲିକାରେ ବି ଥିଲା । ହେଲେ ବିଜୁ ଜୟନ୍ତୀ ପାଳନର ଦୁଇ ଦିନ ପୂର୍ବରୁ ଏହାକୁ ବନ୍ଦ କରିବା ଛୋଟ ଲୋକ ବୁଦ୍ଧି । ତେବେ ବିଜେପି କହିଛି, ସରକାର ମହାପୁରୁଷମାନଙ୍କୁ ସମ୍ମାନ ଦେଉଛି । ପୂଜ୍ୟପୂଜାରେ ଅବହେଳା କରାଯାଇନାହିଁ ।