ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିବା ପରେ ଟେନସନରେ ବିଜେଡି । ଆଉ ଏହି ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ଦଳର ବରିଷ୍ଠ ନେତା ତଥା ବିଧାୟକ ବଦ୍ରି ପାତ୍ରଙ୍କ ବୟାନ । ବଦ୍ରି କହିଛନ୍ତି, ରାଜାଙ୍କ ପକେଟରେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି ଥିଲେ । ପୂରା ସିଣ୍ଡିକେଟ ସମ୍ପର୍କରେ ଭି.କେ. ପାଣ୍ଡିଆନ ଏବଂ ସିଏମଓ ମଧ୍ୟ ଅବଗତ ଥିଲେ । ବଦ୍ରିଙ୍କ ଏଭଳି ବୟାନ ପରେ ରାଜନୀତି ଉଷ୍ଣ ହେବାରେ ଲାଗିଛି । ଉଭୟ ବିଜେପି ଓ କଂଗ୍ରେସ ବିଜେଡିକୁ ଘାଇଲା ବାଘ ପରି ଟାର୍ଗେଟ କରିଛନ୍ତି ।
ଆଉ ଏହାରି ଭିତରେ ପ୍ରଶ୍ନ ଉଠିବାରେ ଲାଗିଛି କ’ଣ ରାଜା ଚକ୍ରର କଳା ସାମ୍ରାଜ୍ୟର ପ୍ରଚ୍ଛଦପଟ୍ଟରେ ରହିଥିଲେ ତତ୍କାଳୀନ ନବୀନ ସରକାର ? ଏପରି ପ୍ରଶ୍ନ ଉଠିବାର କାରଣ ବଦ୍ରିଙ୍କ ଅନୁସାରେ, ସବୁ ଜାଣି ଚୁପ୍ ଥିଲା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର । ଭି.କେ. ପାଣ୍ଡିଆନଙ୍କୁ ଅଭିଯୋଗ ପରେ ବି ନିଆଯାଇ ନ ଥିଲା କାର୍ଯ୍ୟାନୁଷ୍ଠାନ । ଯାହା ଥାର୍ଡ ଫ୍ଲୋର୍ ଗ୍ରୀନ୍ ସିଗନାଲ୍ ଦେବାକୁ ଇଙ୍ଗିତ କରୁଛି । ଆଉ ଏହି ମହା ଲୁଟ ଘଟଣାକୁ ପ୍ରୋତ୍ସାହନ ଦେଉଥିଲେ ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ମିତ୍ରଭାନୁ ମହାପାତ୍ର ? ରାଜା ଚକ୍ରର ଗିରଫଦାରୀ ପରେ ଖୋଦ୍ ବିଜେଡିର କେନ୍ଦୁଝର ଘସିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଏଭଳି ବିସ୍ଫୋରକ ବୟାନ ହଲଚଲ୍ ସୃଷ୍ଟି କରିଛି ।
ବଦ୍ରି, ତତ୍କାଳୀନ ନବୀନ ସରକାର ଏହି ଗୁମର ଖୋଲିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ବଢିଛି । ରାଜା ଚକ୍ର କେନ୍ଦୁଝର ପ୍ରଶାସନର ଅସ୍ତ୍ର ଭାବେ କାମ କରୁଥିଲା । ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ମିତ୍ରଭାନୁ ମହାପାତ୍ରଙ୍କ ପ୍ରୋତ୍ସାହନରେ ରାଜା ଚକ୍ର କେନ୍ଦୁଝର ଜିଲ୍ଲାରେ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇଥିଲା । ଖଣି ଖାଦାନ ଲୁଟ୍ ପଛରେ ତତ୍କାଳୀନ ଏସପି ଓ କଲେକ୍ଟରଙ୍କ ବଡ ହାତ ରହିଛି । ବଦ୍ରି ଅଭିଯୋଗ କରିଛନ୍ତି ଯେ, ରାଜା ଚକ୍ରର ବିଜିନେସ୍ ପାର୍ଟନର ଥିଲେ ଏସପି ମିତ୍ରଭାନୁ ମହାପାତ୍ରଙ୍କ ସଂପର୍କୀୟ । ତେଣୁ କ୍ରାଇମବ୍ରାଞ୍ଚ ତତ୍କାଳୀନ ଏସପି ଓ ଜିଲ୍ଲାପାଳଙ୍କୁ ତଦନ୍ତ ପରିସର ଭୁକ୍ତ କରି ତଦନ୍ତ ଆଗକୁ ନେଉ, ପରଦା ପଛରେ ଥିବା ବହୁତ ଗୁମର ବାହାରକୁ ଚାଲି ଆସିବ ।
ବିଜେଡ଼ି ପାଇଁ ଯେ ରାଜା ଚକ୍ର ଆଗକୁ ବଡ ବିପଦ ଆଣିବ ସେନେଇ ବଦ୍ରି ନିଜେ ଭି.କେ. ପାଣ୍ଡିଆନଙ୍କୁ ବିସ୍ତୃତ ରିପୋର୍ଟ ଦେଇଥିଲେ । ତା’ସହ ରାଜା ଚକ୍ରର କଳା ସାମ୍ରାଜ୍ୟ ବିଷୟରେ ବି ଅବଗତ କରିଥିଲେ । ମାତ୍ର କେହି ଶୁଣିଲେନି ବୋଲି ଆଜି ଦଳର ବିପର୍ଯ୍ୟୟ ହେଲା । ଲୋକେ ବୁଝିଲେ କେମିତି ଦୁର୍ନୀତିକୁ ବିଜେଡି ସରକାର ପ୍ରୋତ୍ସାହନ ଦେଉଛି ଆଉ ଅନେକ ନେତା ଅସନ୍ତୁଷ୍ଟ ହୋଇ ଦଳର ହାତ ଛାଡିଲେ ।
ଅନ୍ୟପଟେ ମୋହନ ସରକାର ଏହି ଦୁର୍ନୀତିର ପେଡ଼ି ଖୋଲି ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବଦ୍ରି । ସେପଟେ ବଦ୍ରି ପାତ୍ରଙ୍କ ଖୁଲାସା ପରେ ତେଜିଛି ରାଜ୍ୟ ରାଜନୀତି । ବିଜେପି ପାଟଣା ବିଧାୟକ କହିଛନ୍ତି ପୂର୍ବତନ ଜିଲ୍ଲାପାଳ ଓ ଏସପିଙ୍କୁ ଧରିଲେ ସବୁ ଖୁଲାସା ହେବ । ତୃତୀୟ ମହଲାରୁ ହିଁ ସବୁ ନିର୍ଦ୍ଦେଶ ଯାଉଥିଲା । କଂଗ୍ରେସ କହିଛି ନବୀନ ସରକାରରେ ତୃତୀୟ ମହଲାରୁ ଅନେକ ରାଜା ଚକ୍ର ଜନ୍ମ ନେଇଛନ୍ତି ।
ତେବେ ଏହା ମନଗଢ଼ା କାହାଣୀ କହି ବିଜେଡି ଅଜବ ଯୁକ୍ତି ରଖିଛି । ରାଜା ଚକ୍ରକୁ କିଛି ବ୍ୟକ୍ତିଙ୍କ ନାଁ କହିବାକୁ ଚାପ ପ୍ରୟୋଗ କରାଯାଉଛି । ବଦ୍ରିଙ୍କ ବିସ୍ଫୋରଣରୁ ଏତିକି ସ୍ପଷ୍ଟ ଯେ ରାଜା ଚକ୍ର ବିଜେଡ଼ି ସରକାରର ପ୍ରୋତ୍ସାହନରେ ହିଁ ଦୁର୍ନୀତି ଆରମ୍ଭ କରିଥିଲା । ତେବେ ଏହି ଘଟଣାରେ ଆଗକୁ କ୍ରାଇମବ୍ରାଞ୍ଚ ଆଉ କି ଗୁମର ଖୋଲୁଛି ତା’ଉପରେ ସମସ୍ତଙ୍କ ନଜର ରହିଛି ।