ନୟାଗଡ଼: ନୟାଗଡ଼ ଫତେଗଡ଼ରେ ଦୁଇ ନାବାଳକଙ୍କ ମୃତ୍ୟୁ ଘଟଣର ଭୟଙ୍କର ସତ ପଦାକୁ ଆସିଛି । ଦ୍ବିତୀୟ ବିବାହ କରିବାକୁ ନିଜ ଜନ୍ମକଲା ଦୁଇ ପୁଅଙ୍କ ତଣ୍ଟି ଚିପି ରାସ୍ତାରୁ ହଟାଇ ଦେଇଥିଲା ସଇତାନ ବାପା । ଆଉ ଅଭିଯୁକ୍ତ ପ୍ରକାଶ ମହାନ୍ତିଙ୍କ ଏହି ପାପରେ ସହଯୋଗ କରିଥିଲେ ପିଲାଙ୍କ ଜେଜେମାଆ ସୌରୀ ମହାନ୍ତି । ଉଭୟଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ପାଖରୁ ସତ ବାହାର କରିଛି ।
ସୂଚନା ଅନୁସାରେ, ଫତେଗଡ଼ ଧାନଚାଙ୍ଗଡ଼ା ଗାଁରେ ଦୁଇ ପୁଅକୁ ହତ୍ୟା କରିଥିଲା ବାପା । ହତ୍ୟା କରିବା ପରେ, ପ୍ରମାଣ ନଷ୍ଟ କରିବାକୁ, ବାପା ପ୍ରକାଶ ମହାନ୍ତି ଏବଂ ଜେଜେମା ସୌରୀ ମହାନ୍ତି ଦୁଇ ନାବାଳକ ପୁଅକୁ ଦଉଡିରେ ଝୁଲାଇ ଦେଇଥଲେ । ପ୍ରକାଶ ମହାନ୍ତିଙ୍କ ସ୍ତ୍ରୀଙ୍କ ୩ ବର୍ଷ ପୂର୍ବରୁ ମୃତ୍ୟୁ ହୋଇସାରିଛି । ଦ୍ବିତୀୟ ବାହା ହେବା ପାଇଁ ଜିଦ ଧରି ବସିଥିଲେ ପ୍ରକାଶ । ହେଲେ ବାପାଙ୍କ ବିବାହକୁ ବଡ ପୁଅ ବିରୋଧ କରି ଆସୁଥିଲେ । ଏହାକୁ ନେଇ ବିବାହ ରାସ୍ତାରୁ କଣ୍ଟା ହଟାଇବାକୁ ନିଷ୍ପତ୍ତି ନେଇଥିଲେ ପିଶାଚ ବାପା ଓ ଜେଜେମାଆ । ଦୁଇ ନାବାଳକଙ୍କୁ ଶୋଇଥିବା ଅବସ୍ଥାରେ ତଣ୍ଟି ଚିପି ହତ୍ୟା କରିଥିଲେ । ପରେ ପ୍ରମାଣ ନଷ୍ଟ କରିବାକୁ ଉଭୟକୁ ଘରେ ଭିତରେ ଗୋଟିଏ ଲୁଗାରେ ବାନ୍ଧି ଟାଙ୍ଗି ଆତ୍ମହତ୍ୟାର ରୁପ ଦେଇଥିଲେ ।
ଘଟଣା ପରଠୁ ମୃତ ନାବାଳକଙ୍କ ମାମୁଁ ଓ ଆଇ ଅଭିଯୋଗ କରିଥିଲେ ଯେ ବାପା ହିଁ ହତ୍ୟାକାରୀ । ଘଟଣାକୁ ଗୁରୁତର ସହ ନେଇ ନିଜେ ନୟାଗଡ ଏସପି ମାମଲାର ତଦନ୍ତ କରୁଥିଲେ । ଗତକାଲି ବାପା ଦୁଇ ପୁଅଙ୍କୁ ହତ୍ୟା କରିଥିବା ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ହତ୍ୟା ଓ ପ୍ରମାଣ ନଷ୍ଟ କରିବାରେ ଜେଜେମାଆ ସାହାଯ୍ୟ କରିଥିବାରୁ ପୋଲିସ ତାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ହତ୍ୟା ଘଟଣାର ତଦନ୍ତ ବର୍ତ୍ତମାନ ବି ଜାରି ରହିଛି ।