ବଦଳିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପିଏସ୍, ବଢ଼ିଲା ଚର୍ଚ୍ଚା


ଭୁବନେଶ୍ବର:ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ବ୍ୟକ୍ତିଗତ ସଚିବ (ପିଏସ୍) ବଦଳିଛନ୍ତି । ପ୍ରଭାତୀଙ୍କ ନୂଆ ପିଏସ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର କାହ୍ନୁ ଚରଣ ଧୀରଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ଉପ-ମୁଖ୍ୟମନ୍ତ୍ରୀ ପିଏସ ବଦଳାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏତେ କମ ଦିନ ମଧ୍ୟରେ କାହିଁକି ପ୍ରଭାତୀ ବଦଳାଇଲେ ତାହା ଏବେ ପାଓ୍ବାର କରିଡରରେ ଚର୍ଚ୍ଚାର ବିଷୟ ହୋଇଛି ।

ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ନୂଆ ପିଏସ୍ ଭାବେ ନିଯୁକ୍ତ ହୋଇଛନ୍ତି କାହ୍ନୁଚରଣ ଧୀର । ଯିଏକି ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଥିଲେ । ପ୍ରଭାତୀ ପରିଡାଙ୍କର ପୂର୍ବରୁ ପିଏସ୍ ଥିବା ବିଶ୍ୱରଞ୍ଜନ ରଥଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ ନିଯୁକ୍ତି ଦିଆଯାଇଛି ।

ତେବେ ଉପ-ମୁଖ୍ୟମନ୍ତ୍ରୀଙ୍କ ପିଏସ୍ ବଦଳିବା ଘଟଣା କ୍ଷମତା କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି । ସାଧାରଣତଃ କୌଣସି ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ସଚିବ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦବୀ । ମନ୍ତ୍ରୀମାନେ ନିଜ ପସନ୍ଦ ମୁତାବକ ଅଧିକାରୀଙ୍କୁ ପିଏସ୍ ଭାବେ ନିଯୁକ୍ତି ଦେବାକୁ ସୁପାରିସ୍ କରିଥାନ୍ତି । ସେହି ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ତାଙ୍କୁ ନିଯୁକ୍ତି ଦିଆଯାଏ । ମନ୍ତ୍ରୀଙ୍କ କାର୍ଯ୍ୟାଳୟର ସବୁ କାର୍ଯ୍ୟ ତାଙ୍କରି ତଦାରଖରେ ହିଁ ହୁଏ । ତେବେ ବିଶ୍ୱରଞ୍ଜନ ରଥଙ୍କୁ ପିଏସ୍ ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜ ପସନ୍ଦ ଅନୁଯାୟୀ ନିଶ୍ଚିତ ଚୟନ କରିଥିବେ । କିନ୍ତୁ ଗୋଟିଏ ବର୍ଷ ନ ପୂରୁଣୁ ଏମିତି କେଉଁ ପରିସ୍ଥିତି ସୃଷ୍ଟି ହେଲା ଯେ, ବ୍ୟକ୍ତିଗତ ସଚିବଙ୍କୁ ବଦଳାଇବା ଦରକାର ପଡିଲା, ତାହା ଆଲୋଚନାର ବିଷୟ ପାଲଟିଛି ।