କେନ୍ଦୁଝର: ଭଉଣୀ ସହ ରଙ୍ଗ ଖେଳିବାକୁ ମାଆ, ବାପାଙ୍କ ସହ ତାଙ୍କ ଘରକୁ ଯାଉଥିଲା ଭାଇ । ହେଲେ ଦଇବ ଜୀବନ ରେଖାରେ ଟାଣି ସାରିଥିଲା ନାଲି ଗାର । ରଙ୍ଗର ପର୍ବ ହୋଲିରେ ସକାଳୁ ସକାଳୁ ଟ୍ରକ ଧକ୍କାରେ ଚାଲିଗଲା ତିନି ଜଣଙ୍କ ଜୀବନ । ଏମିତି ଦୁଃଖଦ ଘଟଣା ଘଟିଛି, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଏନଏଚ୍ ୨୦ ଦୋଳିତା ଛକ ନିକଟରେ । ମୃତକ ହେଲେ ସାନନଈ ଗାଁର ବାପା ଐବନ ପ୍ରଧାନ, ମାଆ ମଥାମଣି ପ୍ରଧାନ ଓ ପୁଅ ମଙ୍ଗଲ ପ୍ରଧାନ ।
ଆଜି ସକାଳେ ବାପାମାଆ ଓ ପୁଅ ଏକ ବାଇକରେ ଝିଅ ଘରକୁ ବାହାରି ଥିଲେ । ଝିଅ ଘରେ ପହଞ୍ଚିଲେ ସମସ୍ତେ ହୋଲି ଖେଳିବେ । ଏଥିପାଇଁ ସମସ୍ତେ ମନରେ ଥିଲା ଖୁସି । ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହି ନଥିଲା । ଯେପରି ସେହି ଖୁସିରେ କାହାର ନଜର ଲାଗି ଯାଇଥିଲା ।
ଭଉଣୀ ଘର ନିକଟରେ ପହଞ୍ଚି ସାରିଥିବା ବେଳେ ଏକ ଟ୍ରକ୍ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଐବନଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଲରେ ମଥାମଣି ଏବଂ ତାଙ୍କ ପୁଅଙ୍କ ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୋଳିତା ଛକରେ ଟାୟାର ଜାଳି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି । ୩ ଜଣଙ୍କ ମୃତ୍ୟୁଙ୍କ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।