ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ: ହୋଲିରେ ଗଡ଼ିଲା ୬ ମୁଣ୍ଡ


ଭୁବନେଶ୍ବର: ରଙ୍ଗର ପର୍ବ ହୋଲି । ଗତକାଲି ସାରା ରାଜ୍ୟରେ ହୋଲି ଉତ୍ସବ ପାଳିତ ହୋଇଛି । ହେଲେ ଚଳିତବର୍ଷ ଏହା ରଙ୍ଗର ହୋଲି ବଦଳରେ ରକ୍ତର ହୋଲି ପାଲଟିଥିଲା । କାରଣ ଗତକାଲି ସାରା ରାଜ୍ୟ ହୋଲିର ରଙ୍ଗରେ ରଙ୍ଗେଇ ହେଉଥିବା ବେଳେ ଭିନ୍ନ ଭିନ୍ନ ସ୍ଥାନରେ ୬ ଜଣଙ୍କୁ ହତ୍ୟା କରାଯାଇଛି । ଯାହା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି । ହୋଲି ପୂର୍ବରୁ ରାଜ୍ୟ ସରକାର ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଥିଲେ ବି ଏହା ଅପରାଧୀ ଓ ଅସାମାଜିକ ତତ୍ତ୍ବଙ୍କ ଉପରେ କୌଣସି ପ୍ରଭାବ ପକାଇନି । କେଉଁଠି କିଏ କାହାକୁ ଛୁରି ଭୁଷି ମାରିଛି ତ, କେଉଁଠି ଖଣ୍ଡ ଭୁଜାଲି ବୁଲିଛି । ଆଉ କେଉଁଠି ଗୁଳି ମାରି ହତ୍ୟା କରାଯାଇଛି ।

ହୋଲିକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ରାଜ୍ୟ ସରକାର ଓ କମିଶନରେଟ ପୋଲିସ କହୁଥିଲେ । ହେଲେ ଦିନ ଗଡ଼ିବା ସହ ରାଜଧାନୀର ସୁରକ୍ଷା ବ୍ୟବସ୍ଥା କେଳେ କଡ଼ାକଡ଼ି କରାଯାଇଥିଲା ତାହା ପଦାରେ ପଡ଼ି ଯାଇଥିଲା । କାରଣ ଗତକାଲି ରାଜଧାନୀରେ ରକ୍ତର ହୋଲି ଖେଳିଥିଲେ ଅପରାଧୀ । ଦୁଇଟି ସ୍ଥାନରେ ଦୁଇ ଜଣ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି । ହାଇପ୍ରୋଫାଇଲ ସହିଦ ନଗର ଅଞ୍ଚଳର ଶାନ୍ତିପଲ୍ଲୀରେ ଜଣେ ଯୁବକକୁ ୪ ଜଣ ଦୁର୍ବୃତ୍ତ ନୃଶଂସ ଭାବେ ଛୁରୀ ଭୁଷି ହତ୍ୟା କରିଛନ୍ତି । ସେହିପରି ରାଜଧାନୀରେ ଅନ୍ୟତମ କ୍ରାଇମସ୍ପଷ୍ଟ ମଞ୍ଚେଶ୍ବର ଥାନା ଅଞ୍ଚଳ ବି ରକ୍ତ ରଞ୍ଜିତ ହୋଇଛି । ସମେଇଗାଡ଼ିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ସମାନ ଛରୀ ଭୁଷି ହତ୍ୟା କରାଯାଇଛି ।

ତେବେ କେବଳ ଭୁବନେଶ୍ଵରରେ ନୁହେଁ ସମ୍ଵଲପୁରରେ ବି ଘଟିଛି ହତ୍ୟାକାଣ୍ଡ । ସାହୁ କଲୋନୀରେ ଜଣେ ଯୁବକକୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଅନୁଗୁଳ ନାଖରାସାହିରେ ଭୁଜାଲି ଚୋଟରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ସେହିପରି ବ୍ରହ୍ମପୁରରେ ବି ହତ୍ୟା ଘଟଣା ସାମ୍ନାକୁ ଆସିଛି । ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳର କଣ୍ଟ୍ରାକ୍ଟର ଟି. ରାମଚନ୍ଦ୍ର ପାତ୍ରଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି ।

ଏସବୁ ଘଟଣା ଦିନ ବେଳା ଘଟିଥିବା ବେଳେ ଲାଗୁଥିଲା ହୋଲି ରାତି ଶାନ୍ତ ପଡ଼ିବ । ହେଲେ ସେମିତି କିଛି ହେଲାନାହିଁ । ୫ଟି ହତ୍ୟାକୁ ନେଇ ସରକାର, ଓଡ଼ିଶା ପୋଲିସର ପାରିବା ପଣିଆକୁ ଲୋକେ ଛି ଛି କରୁଥିବା ବେଳେ ରାତିରେ ଭାଇଚାରାର ସହରରେ ମାତିଥିଲେ ଅପରାଧୀ । କଟକ ସହରରେ ସବୁ ଧର୍ମର ଲୋକେ ବିଭିନ୍ନ ପର୍ବପର୍ବାଣୀକୁ ଏକାଠି ପାଳନ କରିବାର ନାଁ ରହିଛି । ହେଲେ ହୋଲି ରାତିରେ କଟକ ବି ଅଶାନ୍ତ ହୋଇଛି । କଟକ ବୟାଳିଶମୌଜା ଶ୍ରୀକୃଷ୍ଣ ବିହାରରେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଛି ।

ହୋଲି ପରି ଦିନରେ ରାଜ୍ୟର ୫ ପ୍ରମୁଖ ସହରରେ ୬ଟି ହତ୍ୟାକାଣ୍ଡ । ସତେ ଯେମିତି ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ ।