ସ୍ବର୍ଗଦ୍ବାରରେ ଶେଷ ହେଲା ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ


ପୁରୀ: ସ୍ବର୍ଗଦ୍ବାରରେ ଶେଷ ହେଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ । ବଡ଼ ପୁଅ ଦେଲେ ମୁଖାଗ୍ନି । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ଶେଷକୃତ । ସ୍ବର୍ଗଦ୍ବାରରେ ଦେବେନ୍ଦ୍ରଙ୍କ ମରଶରୀର ପହଞ୍ଚିବା ପରେ ଦିଆଯାଇଥିଲା ଗାର୍ଡ ଅଫ୍ ଅନର । ସାନ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପୂରା ପରିବାର ଉପସ୍ଥିତ ଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ, ଯୋଗ ଗୁରୁ ବାବା ରାମଦେବଙ୍କ ସମେତ ବିଜେପିର ବହୁ ନେତା, ମନ୍ତ୍ରୀ, ସାଂସଦ, ବିଧାୟକ ଓ କର୍ମୀ ଉପସ୍ଥିତ ଥିଲେ ।
ଭେଟରାନ ନେତାଙ୍କ ପରଲୋକରେ ସାରା ରାଜ୍ଯରେ ଶୋକର ଛାୟା ଖେଳିଯାଇଛି । ଗତକାଲି ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ମରଶରୀର ପହଁଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବାପାଙ୍କ ପାର୍ଥିବ ଶରୀର ପହଞ୍ଚିବା ବେଳେ ଉପସ୍ଥିତ ରହିଥିଲେ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ଗାଡିରେ ଡା. ପ୍ରଧାନଙ୍କ ପାର୍ଥିବ ଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ରାଜ୍ୟ ବିଜେପିର ବହୁ ନେତା ଓ କର୍ମୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ପରେ ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନକୁ ନିଆଯାଇଥିଲା ପାର୍ଥିବ ଶରୀର । ସେଠାରେ ଡା. ପ୍ରଧାନଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦେବେନ୍ଦ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ନବୀନ । ଏଥିସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସଦବେଦନା ଜଣାଇଥିଲେ । ସେହିପରି ବିଜେଡିର ଅନ୍ୟ ନେତା ବି ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଦେବେନ୍ଦ୍ର ଦେବଗଡ଼ ଲୋକସଭା କ୍ଷେତ୍ରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୮ ଓ ୧୯୯୯ରେ ସେ ଦେବଗଡ଼ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ୧୯୯୮ରେ ସେ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ହୋଇଥିଲେ । ୧୯୯୯ରେ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଭୂପୃଷ୍ଠ ପରିବହନ ସହ କୃଷି ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ତାଳଚେର ବିଜେପି ମଣ୍ଡଳ ସଭାପତି ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୮୮ରୁ ୧୯୯୦ ଓ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ କ୍ରମାଗତ ଭାବେ ଦୁଇଥର ସେ ରାଜ୍ୟ ବିଜେପି ସଭାପତି ଥିଲେ । ୧୯୯୫ରେ ସେ ତୃତୀୟ ଥର ପାଇଁ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ । ୧୯୯୭ରୁ ୧୯୯୮ ପର୍ଯ୍ୟନ୍ତ ସେ ବିଜେପି କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ୨୦୦୧ରୁ ୨୦୦୨ ପର୍ଯ୍ୟନ୍ତ ସେ ବିଜେପି ରାଷ୍ଟ୍ରୀୟ ଉପସଭାପତି ଥିଲେ ।
୧୯୪୧ରେ ଦେବେନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ପାଇଁ ଅତୁଳନୀୟ ଅବଦାନ ରହିଥିଲା । ୧୯୮୦ ମସିହାରେ ବିଜେପିରେ ଯୋଗଦେଇଥିଲେ । ୧୯୮୩ ମସିହାରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ସଭାପତି ହୋଇଥଲେ । ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।