ମହାକାଶରୁ ଫେରୁଛନ୍ତି ସୁନୀତା ୱିଲାୟମ୍ସ, ବୁଧବାର ପୃଥିବୀରେ ପହଞ୍ଚିବେ


ନୂଆଦିଲ୍ଲୀ: ୩ ମହାକାଶଚାରୀଙ୍କ ସହ ଆଇଏସଏସରୁ ବାହାରିଲେ ସୁନୀତା ୱିଲାୟମ୍ସ । ସରିଲା ଡ୍ରାଗନ ସ୍ପେସକ୍ରାପ୍ଟର ଅନଡକିଂ ପ୍ରକ୍ରିୟା । ଆଇଏସଏସରୁ ଡ୍ରାଗନର ଅନଡକିଂ ଶେଷ ହୋଇଛି । ସେମାନେ ଡ୍ରାଗନରେ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଆସନ୍ତାକାଲି ପୃଥିବୀ ପୃଷ୍ଠକୁ ଫେରିବେ ମହାକାଶକାରୀ ସୁନୀତା ୱିଲିୟମ୍ସ । ଭାରତୀୟ ସମୟ ବୁଧବାର ରାତି ପ୍ରାୟ ସାଢ଼େ ୩ଟାରେ ଆମେରିକାର ଫ୍ଲୋରିଡ଼ାରେ ଅବତରଣ କରିବେ । ସୁନୀତାଙ୍କ ସହିତ ଆସୁଥିବା ଆଉ ୩ ଜଣ ମହାକାଶକାରୀ ହେଲେ ବଚ୍ ୱିଲମୋର, ଆମେରିକାର ନିକ୍ ହେଗ୍ ଓ ରୁଷିଆର ଆଲେକଜାଣ୍ଡାର ଗୋରବୁନୋଭ । ଏମାନଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଇଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ସ୍ପେସ୍ ଏକ୍ସର ମାଲିକ ଏଲନ୍ ମସ୍କଙ୍କୁ ଆଇଏସଏସରୁ ଧନ୍ୟବାଦ ଦେଇଛନ୍ତି ସୁନୀତା ୱିଲିୟମ୍ସ ।
ମହାକାଶଚାରୀଙ୍କୁ ଆଣିବାକୁ ଯାଇଛି ସ୍ପେସ୍ ଏକ୍ସର ଡ୍ରାଗନ । ପ୍ରାୟ ୯ ମାସ ହେଲା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ଫସି ରହିଥିଲେ ସୁନୀତା ଏବଂ ୱିଲମୋର । ଗତ ବର୍ଷ ଜୁନ ୫ ତାରିଖରେ ସେମାନେ ଆଇଏସଏଓକୁ ଯାଇଥିଲେ । ଏକ ମରାମତି କାମ କରିବାକୁ ୮ ଦିନ ପାଇଁ ଯାଇଥିଲେ ସୁନୀତା ଓ ବଚ୍ । କାମ ଶେଷ କରି ବୋଇଂ ଷ୍ଟାରଲାଇନରରେ ଫେରିବାର ଥିଲା । କିନ୍ତୁ ଏହି ମହାକାଶଯାନରେ ତ୍ରୁଟି ଦେଖାଯିବାରୁ ସେମାନେ ଫେରି ପାରି ନଥିଲେ । ଏପରିକି ସେମାନଙ୍କ ଫେରିବାକୁ ନେଇ ବହୁତ ଅନିଶ୍ଚିତତା ଦେଖା ଦେଇଥିଲା । ପୃଥିବୀ ପୃଷ୍ଠରୁ ଆଉ ଏକ ମହାକାଶଯାନ ପଠାଇବାର ବ୍ୟବସ୍ଥା ହୋଇଥିଲା । ଶେଷରେ ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ ସଂସ୍ଥା ପକ୍ଷରୁ ଡ୍ରାଗନକୁ ପଠା ଯାଇଛି, ଯାହାକି ସେଠାରେ ପହଞ୍ଚିଛି । ଏହି ଡ୍ରାଗନରେ ଫେରୁଛନ୍ତି ସୁନୀତା ଓ ତାଙ୍କର ସାଥୀ ମହାକାଶଚାରୀ । ଜଣେ ମହାକାଶଚାରୀ ଆଇଏସଏସରେ ୬ ମାସରୁ ଅଧିକ ଦିନ ରହନ୍ତି ନାହିଁ । କିନ୍ତୁ ସୁନୀତା ଏବଂ ବଚଙ୍କୁ ଗତ ଜୁନରୁ ଏପର୍ଯ୍ୟନ୍ତ ୯ ମାସ ରହିବାକୁ ପଡ଼ିଛି । ରୁଷିଆର କସମୋନଟ୍ ଭାଲେରି ପୋଲୟାକୋଭ୍ ସର୍ବାଧିକ ୪୩୭ ଦିନ ମହାକାଶରେ ରହିଥିଲେ ।