ଗୁଣିଗାରେଡି ସନ୍ଦେହରେ ତିନି ଜଣଙ୍କୁ ହତ୍ୟା


ଗଞ୍ଜାମ: ଗୁଣିଗାରେଡି ସନ୍ଦେହରେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ଖାରିପଲି ଗ୍ରାମରେ ୩ ଜଣଙ୍କୁ ହତ୍ୟା । ବାପା ଓ ପୁଅଙ୍କ ସମେତ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କୁ ଅଟକ ରଖିଥିବା ବେଳେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି ।

ଗୁଣି ଗାରେଡି ସନ୍ଦେହରୁ ପ୍ରଥମେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହାପରେ ରକ୍ତରଞ୍ଜିତ ହୋଇଥିଲା ଖାରିପାଲି ଗାଁ । ସଂଘର୍ଷ ଏତେ ଭୟାନକ ଥିଲା ଯେ, ଘଟଣା ସ୍ଥଳରେ ଖଦାଳ ବେହେରା ଓ ତାଙ୍କ ପୁଅ ରତ୍ନାକର ବେହେରାଙ୍କ ମୃତ୍ୟୁ ଘଟିଥିଲା । ରମେଶ ବେହେରା ନାମକ ଗାଁର ଅନ୍ୟ ଜଣେ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ଅନ୍ୟ ୪ ଜଣ ଧରାକୋଟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଖାରିପଲ୍ଲୀ ଟ୍ରିପଲ ମର୍ଡର ପଛରେ କିନ୍ତୁ ଲୁଚି ରହିଛି ସାଙ୍ଘାତିକ ସତ । ୨୦୨୨ ମସିହାରେ ଗୁଣି ସନ୍ଦେହରେ କିଛି ଦିନ ବାସନ୍ଦ ହୋଇ ଗାଁ ବାହାରେ ରହିଥିଲେ ଖଦାଳ ବେହେରା ଓ ତାଙ୍କ ପରିବାର । ପରବର୍ତ୍ତୀ ସମୟରେ ପୋଲିସର ହସ୍ତକ୍ଷେପ ପରେ ସେମାନେ ଗାଁକୁ ଫେରିଥିଲେ । ଗାଁର ଅନ୍ୟ ଏକ ଗୋଷ୍ଠୀ ସହ କିନ୍ତୁ ମୃତ ଖଦାଳ ବେହେରାଙ୍କ ପରିବାରର ତିକ୍ତତା ଲାଗି ରହିଥିଲା । ଏପରିକି ବିଭିନ୍ନ ସମୟରେ ଖଦାଳଙ୍କ ପୁଅ ରତ୍ନାକର ଗାଁରେ ଅଶାନ୍ତି ସୃଷ୍ଟି କରିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ମଙ୍ଗଳବାର ରାତିରେ ସ୍ଥିତି ବିଗିଡ଼ିବା ସହ ଗୋଷ୍ଠୀ ସଂର୍ଘଷ ଓ ରକ୍ତପାତ ହୋଇଥିଲା ।

ଖାରିପଲ୍ଲୀରେ ଟ୍ରିପଲ ମର୍ଡର ପରେ ଏବେ ପୋଲିସ ଛାଉଣୀ ହୋଇଛି ଗାଁ । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ରକ୍ତଭିଜା ମାଟି ସଂଗ୍ରହ କରିଛି । ଗୋଷ୍ଠୀ ସଂଘର୍ଷରୁ ଘଟିଥିବା ହତ୍ୟାକାଣ୍ଡରେ ବ୍ୟବହୃତ କାତି, ଠେଙ୍ଗା ଓ ପଥରକୁ ଜବତ ହୋଇଛି ।