ବୀରମହାରାଜପୁର : (ସୌମିତ୍ରି ମେହେର)
ବିଶ୍ବ କବିତା ଦିବସ ଉପଲକ୍ଷେ ସପ୍ତଦୀପା ସାହିତ୍ୟ ସଂସଦ, ବୀରମହାରାଜପୁର ତରଫରୁ ଏକ କବିତା ପାଠର ଆୟୋଜନ ତଥା ୧୧୯ ତମ ସାରସ୍ବତ ସମାରୋହ ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା । ସଂସଦର ସଭାପତି ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଆସରରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ଭଗବାନ ମିଶ୍ର , ମୁଖ୍ୟ ବକ୍ତା ଭାବରେ ଅଧ୍ୟାପିକା ସନ୍ତୋଷିନୀ ନାୟକ , ସ୍ବତନ୍ତ୍ର ଅତିଥି ବରିଷ୍ଠ ସାମ୍ବାଦିକ କିଶୋର ହୋତା ଓ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସୁବ୍ରତ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଦିବଂଗତ କବି ରମାକାନ୍ତ ରଥଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବିଶ୍ଵ କବିତା ଦିବସ ପାଳନ ଉପଲକ୍ଷେ କବି ଓ କବିତା ସମ୍ପର୍କରେ ଆଲୋକପାତ କରି ଅତିଥି ମାନେ କହିଲେ, କବିତା ଗୋଟିଏ ଜାତିର ସୂକ୍ଷ୍ମାତି ସୂକ୍ଷ୍ମ ରୂପରେଖ । କବି ଯେଉଁ ଜୀବନ ଭୋଗକରେ ସେ କେବଳ ନିଜ ଭିତରେ ଲୁଚାଇ ରଖେନାହିଁ । ସାଧାରଣ ପାଠକଙ୍କୁ ନିଜ ଲେଖା ଦ୍ବାରା ଉପକୃତ କରାଏ । କବିତାର ନବଜନ୍ମ ନିରୋଳା ପ୍ରେମରୁ ହିଁ ଆରମ୍ଭ । କେବଳ ମଣିଷ ନୁହେଁ, ସମସ୍ତଙ୍କ ପ୍ରତି କବିର ଦୁର୍ବଳତା ଥାଏ । ତେଣୁ କବି ଶାନ୍ତି , ମୈତ୍ରୀ , କରୁଣାର ସମାଜ ଚାହେଁ । ବିଖଣ୍ଡିତ ସମାଜରେ କବି ଅଣ ନିଃଶ୍ବାସି ହୁଏ। ହେଲେ ଏହା ସହଜରରେ ପରିପୂର୍ଣ୍ଣ ହୁଏନାହିଁ। କବିତା ମାଧ୍ୟମରେ ସେ ସବୁବେଳେ ସୁସ୍ଥ ସମାଜର ପରିକଳ୍ପନା କରୁଥାଏ। ସେ ବିଲକ୍ଷଣ ହେଉ ନଥିବା ସମାଜ ଚାହେଁ। ବିପ୍ଳବ, କବିର ଧର୍ମ ନୁହେଁ। କବି , ଶବ୍ଦର ଯାଦୁରେ ସମାଜକୁ ସଂଶୋଧନ କରେ। ଜାତିର ମଙ୍ଗଳ ପାଇଁ ଲେଖେ ଓ ସମାଜ କୁ ସଂଶୋଧନ କରେ । କବିଟିଏ ଶୁଣିପାରେ ଫୁଲଟିର ଫୁଟିବା ଶବ୍ଦକୁ, କବି ଟିଏ ଛନ୍ଦିପାରେ ଅଛନ୍ଦକୁ କଲମ୍ ଫାସରେ । ତେଣୁ କବି ସର୍ବଦା ପୂଜ୍ୟ ବୋଲି ମତ ପ୍ରକାଶ କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସ୍ବରଚିତ କବିତା ଆବୃତ୍ତି କରିଥିଲେ ।
ବୀରମହାରାଜପୁର ସପ୍ତଦୀପା ସାହିତ୍ୟ ସଂସଦ ତରଫରୁ ବିଶ୍ଵ କବିତା ଦିବସ ଉପଲକ୍ଷେ କବିତା ପାଠ
