ତାଣ୍ଡବ ରଚୁଛି କାଳବୈଶାଖୀ; ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର: ରାଜ୍ୟରେ ଦୁଇଦିନ ହେଲା କାଳବୈଶାଖୀର ତାଣ୍ଡବ ଜାରି ରହିଛି । ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ସେହିପରି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୨୪ ତାରିଖରେ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି । ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଓ କୁଆପଥର ମାଡ଼ରେ ଚାଷ କ୍ଷତିଗ୍ରସ୍ତ ହୋଇଥିଲା।

ଆଉ ଦୁଇ ଦିନ କାଳବୈଶାଖୀ ପ୍ରଭାବରେ ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୫ ତାରିଖ ପରେ ୨ରୁ ୫ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତକାଲି ଗଞ୍ଜାମ, ମୟୂରଭଞ୍ଜ, ନୟାଗଡ଼, ନବରଙ୍ଗପୁର ଓ ବାରିପଦାରେ ତୁହାକୁ ତୁହା ବର୍ଷା ହୋଇିଥିଲା । ମୟୂରଭଞ୍ଜରେ କୁଆପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାର ୧୯ଟି ପଂଚାୟତର ୪୭ ଗାଁ ପ୍ରଭାବିତ ହୋଇଛି ।