ଓଡ଼ିଶାରେ ବଢୁଛି ହାତୀ ସଂଖ୍ୟା, କମିବାରେ ଲାଗିଛି ଜାଗା


ଭୁବନେଶ୍ବର: ଓଡ଼ିଶାର କ୍ଷମତା ଠାରୁ ଅଧିକ ୩୦୦ ହାତୀ ଅଛନ୍ତି । ଫଳରେ ହାତୀଙ୍କୁ ରହିବାକୁ ମିଳୁନି ପର୍ଯ୍ୟାନ୍ତ ଜାଗା । ଏହାସହ ଆବଶ୍ୟକତା ଅନୁସାରେ ଖାଦ୍ୟ ବି ମିଳୁନି । ଫଳରେ ଖାଦ୍ୟ ଅନ୍ବେଷଣରେ ହାତୀ ଜନବସତି ମୁହାଁ ହେଉଛନ୍ତି । ଅନ୍ୟପକ୍ଷେ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ବି ହାତୀ ଓଡ଼ିଶା ମୁହାଁ ହେଉଛନ୍ତି । ଆଉ ଏହି ସବୁ କାରଣ ପାଇଁ ବଢୁଛି ହାତୀ-ମଣିଷ ଲଢେଇ । ହାତୀଙ୍କ ଖାଦ୍ୟ ପାଇଁ ଜଙ୍ଗଲରେ ୧୯ ପ୍ରକାରର ସ୍ବତନ୍ତ୍ର ଗଛ ଲଗାଇବାକୁ ଜଙ୍ଗଲ ବିଭାଗ ଯୋଜନା କରୁଛି ବୋଲି କହିଛନ୍ତି ସଚିବ ।

ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ । ଯେତିକି ହାତୀ ରହି ପାରିବା କଥା ତା’ଠାରୁ ୩୦୦ ଅଧିକ ଅଛନ୍ତି । ଓଡ଼ିଶାରେ ୧୮ଶହ ହାତୀ ରହିବାର କ୍ଷମତା ଥିବା ବେଳେ ଏବେ ଅଛନ୍ତି ୨୧୦୦ ।  ଜଙ୍ଗଲରେ ରହୁଥିବା ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ନଥିବାରୁ ଖାଦ୍ୟ ଅନ୍ୱେଷଣରେ ଜନବସତିମୁହାଁ ହେଉଛନ୍ତି । ହାତୀ-ମଣିଷ ଲଢ଼େଇ ବଢୁଛି । ଏମିତି ସ୍ଥିତିରେ ଜଙ୍ଗଲରେ ହାତୀଙ୍କ ପାଇଁ ଖାଦ୍ୟ ସୃଷ୍ଟି କରିବେ ସରକାର । ହାତୀଙ୍କ ଖାଦ୍ୟ ରୂପେ ଚିହ୍ନିତ ୧୯ ପ୍ରକାରର ଗଛ ଲଗାଇବାକୁ ଯୋଜନା ହୋଇଛି । ଆମ୍ବ, ପଣସ, ପିଜୁଳି, କରମଙ୍ଗା, ଶାଗୁଆନ ଭଳି ବ୍ୟାପକ ଗଛ ଲଗାଯିବ । ଜଙ୍ଗଲ ମନ୍ତ୍ରୀ କହୁଛନ୍ତି, ଜଙ୍ଗଲରେ ବନ୍ୟଜନ୍ତୁଙ୍କ ପାଇଁ ଅଧିକ ଖାଦ୍ୟ ପ୍ରସ୍ତୁତ ପାଇଁ ସରକାର ଆଣିବେ ସ୍ବତନ୍ତ୍ର ନୀତି ।

ଦିନକୁ ୧୮ଘଣ୍ଟା ଚଳଚଞ୍ଚଳ ରହୁଥିବା ଗୋଟିଏ ହାତୀ ପ୍ରାୟ ଦେଢଶହରୁ ଦୁଇ ଶହ କିଲୋ ଖାଦ୍ୟ ଗ୍ରହଣ କରେ । ଖାଦ୍ୟ ହଜମ ପାଇଁ ଦିନକୁ ସର୍ବନିମ୍ନ ୫୦ କିଲୋମିଟର ଚାଲିବାର କ୍ଷମତା ରଖେ । ଏହାସହ ହାତୀକୁ ପର୍ଯ୍ୟାପ୍ତ ପରିମାଣର ପାଣି ବି ଦରକାର । ହେଲେ ଓଡ଼ିଶାରେ ଅବସ୍ଥା ସଙ୍ଗୀନ । ୧୮୦୦ ହାତୀ ରହିବାର କ୍ଷମତା ଥିବା ଓଡ଼ିଶା ଜଙ୍ଗଲରେ ଏବେ ଖାଦ୍ୟ ସଙ୍କଟ ସମସ୍ୟା ପାଲଟିଛି । ୨୧୦୦ ହାତୀଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ଓ ପାଣିର ଅଭାବ ରହିଛି । ଯେଉଁଥିପାଇଁ ହାତୀ ଖାଦ୍ୟ ଓ ପାଣି ଅନ୍ବେଷଣରେ ସହର ମୁହାଁ ହେଉଛି । ଜଙ୍ଗଲରେ ହାତୀଙ୍କ ଖାଦ୍ୟ ସୃଷ୍ଟି କରିବା ପାଇଁ ସରକାରଙ୍କ ନୀତି ଓ ଯୋଜନାକୁ ନାପସନ୍ଦ କରିଛନ୍ତି ବିଶେଷଜ୍ଞ । ପ୍ରଥମେ ଜଙ୍ଗଲକୁ ସୁରକ୍ଷିତ ରଖାଯାଉ ଏବଂ ଲୋକଙ୍କ ଜବରଦଖଲ ହଟାଯାଉ । ହାତୀ କରିଡ଼ର ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉ ବୋଲି ବିଶେଷଜ୍ଞ କହିଛନ୍ତି ।

୭ ବର୍ଷରେ ବିଭିନ୍ନ କାରଣରୁ ଓଡ଼ିଶାରେ ୬୩୪ ହାତୀଙ୍କ ଜୀବନ ଯାଇଛି । ଖାଦ୍ୟ ଅଭାବ ଯୋଗୁଁ ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଥିବାରୁ ଏହା ମସସ୍ତଙ୍କ ପାଇଁ ଉଦବେଗର କାରଣ ପାଲଟିଛି । ସରକାର ଉଭୟ ହାତୀ ଓ ମଣିଷଙ୍କ ସୁରକ୍ଷା ପାଇଁ କେବଳ ଚିନ୍ତା କରି ବସିଗଲେ ହେବ ନାହିଁ, ଏହା ଫଳପ୍ରଦ କରିବାକୁ ଉଦ୍ୟମ ବି ହେବା ଆବଶ୍ୟକ ।