ନବ ଦାସ ହତ୍ୟା ମାମଲା: ଗୋପାଳଙ୍କୁ ଆଜି ଜେରା କରିପାରେ କ୍ରାଇମବ୍ରାଞ୍ଚ


ଭୁବନେଶ୍ବର: ନବ ଦାସ ହତ୍ୟା ମାମଲାର ସାନି ତଦନ୍ତର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ଆଜିଠାରୁ ଆରମ୍ଭ କରିପାରେ କ୍ରାଇମବ୍ରାଞ୍ଚ । ଏହି କ୍ରମରେ ନବ ଦାସଙ୍କ ହତ୍ୟା ମାମଲାର ଏକମାତ୍ର ଅଭିଯୁକ୍ତ ତଥା ଗିରଫ ହୋଇ ଜେଲରେ ଥିବା ଗୋପାଳ ଦାସଙ୍କୁ ଆଜି ଜେରା କରିପାରେ କ୍ରାଇମବ୍ରାଞ୍ଚ ।

ଚୌଦ୍ବାର ଜେଲରେ ରହିଥିବା ଗୋପାଳକୁ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା କରିପାରେ ।  ଝାରସୁଗୁଡ଼ାରେ ୫ ଦିନ ରହି ତଦନ୍ତ କରିବା ପରେ ଫେରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ । ୫ ଦିନ ଭିତରେ ୧୪ରୁ ୧୫ ଜଣଙ୍କ ବୟାନ ରେକର୍ଡ କରାଯାଇଥିବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ନବ ଦାସଙ୍କ ଘରକୁ ଯାଇ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହା ପରେ ବିମାନବନ୍ଦର କର୍ମଚାରୀ, ହସ୍ପିଟାଲରେ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫଙ୍କ ବୟାନ ରେକର୍ଡ କରାଯାଇଛି । 

ଶନିବାର ସରୋଜ ସା’ ଓ ଜୀବନ ନାୟକଙ୍କୁ ଜେରା କରାଯାଇଥିଲା । ନବ ଦାସଙ୍କୁ ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଥିଲେ ସରୋଜ ସା’। ତତ୍କାଳୀନ ଆଇଆଇସି ପ୍ରଦ୍ୟୁମ୍ନ ସ୍ବାଇଁଙ୍କ ବନ୍ଧୁକ ଛଡ଼ାଇ ଆଣିଥିଲେ ସରୋଜ । ୨୦୨୩ରେ ନବ ଦାସ ହତ୍ୟା ପରେ ସରୋଜ ସା’ଙ୍କୁ ପଚରାଉଚରା ହୋଇ ନଥିଲା । ଯାହା ନିଜେ ମାନିଛନ୍ତି ସରୋଜ । ସେହିପରି ଘଟଣା ଦିନ ଗୁଳି ବାଜିଥିବା ବ୍ୟକ୍ତି ଜୀବନ ନାୟକଙ୍କର ମଧ୍ୟ ବୟାନ ରେକର୍ଡ କରିଛି କ୍ରାଇମ୍‌ବ୍ରାଞ୍ଚ । ନବ ଦାସଙ୍କ ପାଦ ଛୁଇଁଥିବାବେଳେ ଜୀବନଙ୍କ ବେକରେ ଗୁଳି ଘଷି ହୋଇ ଚାଲିଯାଇଥିଲା ।