ରାସ୍ତା ଉପରେ ଧାରଣା ଦେଲେ ବେଳେ କାନ୍ଦିଲେ ତାରା


ଭୁବନେଶ୍ବର: ଗତକାଲି ବିଧାନସଭାରୁ ୧୨ ବିଧାୟକଙ୍କ ନିଲମ୍ବନକୁ ନେଇ ତୀବ୍ର ହେବାରେ ଲାଗିଛି ରାଜ୍ୟ ରାଜନୀତି । ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଧାନସଭା ବାହାରେ ରାସ୍ତା ଉପରେ ଧାରଣା ଦେବା ବେଳେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ଭାବବିହ୍ବଳ ହୋଇ କାନ୍ଦ ପକାଇଛନ୍ତି । ବିଧାନସଭା ପରିସରରେ ଧାରଣା ଦେଇଥିବାରୁ ପୋଲିସ ତାଙ୍କ ଉପରେ ଜୁଲମ୍ କରିବା ସହ ତାଙ୍କୁ ସେଠାରୁ ଅତି ଦୟନୀୟ ଭାବେ ତଡି ଦେଇଥିବା ଗଣମାଧ୍ୟମକୁ କହିବା ବେଳେ କାନ୍ଦି ପକାଇଥିଲେ ତାରା ।

ଏକାଧିକ ଶାରୀରିକ ସମସ୍ୟା ଥାଇ ମଧ୍ୟ ଦଳୀୟ ବିଧାୟକଙ୍କୁ ନ୍ୟାୟ ଦେବା ତଥା ରାଜ୍ୟରେ ନାରୀଙ୍କ ସୁରକ୍ଷା ପାଇଁ ସ୍ବର ଉଠାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ସାରା ରାତି ରାଜରାସ୍ତାରେ ଧାରଣା ଦେବା ସହ ଗଣମାଧ୍ୟମ ଆଗରେ ନିଜର କଷ୍ଟ ବଖାଣିଛନ୍ତି ତାରା । କହିଛନ୍ତି, ବିଧାନସଭା ଭିତରେ ତ ଯାହା ମୋ କଲର ଧରି ମାରିଥିଲେ, ବାହାରେ ପୋଲିସ ବି ମୋତେ ମାରିଲେ । ପୋଲିସ ମୋ ବେକକୁ ମୋଡି ଦେଲେ, ସିକ୍ୟୁରିଟି ଅଫିସର ମୋତେ ବହୁତ ମାରିଲେ । ମୁଁ ନେତୃତ୍ବ ନେଉଛି ବୋଲି ମୋତେ ବହୁତ ମାରିଲେ । ଦୁଇଟା ରାତିରେ ମୋତେ ବିଧାନସଭା ଭିତରେ ପୂରାଇକି ମାରିଲେ । ତା’ପରେ ବାହାରେ ଆଣି ଛାଡିଦେଲେ । ଏକଥା କେବଳ ଜଗନ୍ନାଥ ବୁଝିବେ । ଏଭଳି ଘଟଣା ଇତିହାସରେ ପ୍ରଥମ ଘଟଣା । ଯେଉଁଠି ଗଣତନ୍ତ୍ର ନାହିଁ, ଯେଉଁଠି ମା’ ମାଟି ପାଇଁ ସମ୍ମାନ ନାହିଁ ସେଠି ଆଉ ମୋର ରାଜନୀତି କରିବାର ଇଚ୍ଛା ବି ନାହିଁ ବୋଲି କହିଛନ୍ତି ତାରା ।