ଭୁବନେଶ୍ବର: ବିଧାନସଭା ଅଚଳ କରିବାକୁ କଂଗ୍ରେସର ଷଡ଼ଯନ୍ତ୍ର । ବିଧାନସଭାରେ ବିରୋଧୀଙ୍କ ଲଗାତାର ହଟ୍ଟଗୋଳକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଆିନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଲେ, ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଆମ ସରକାର ସଚେତନ ଅଛି । ଏ ନେଇ ବିଧାନସଭାରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ, ହେଲେ ବିରୋଧୀ ଆଓିବା ଦରକାର । ଆଲୋଚନାକୁ ନଆସି ଗୃହ କମିଟି ଗଠନ ଦାବି ଅଯୌକ୍ତିକ ।
ଆଗକୁ ସେ କହିଛନ୍ତି, କୌଣସି ନିର୍ଦ୍ଦିଷ୍ଟ ବଡ଼ ଧରଣର ଘଟଣାର ତଦନ୍ତ ପାଇଁ ଗୃହ କମିଟି ଗଠନ ହୋଇଥାଏ । ହେଲେ ପୂରା ଘଟଣାରେ ହାଉସ୍ କମିଟି ଗଠନ ଦାବି ଅବାସ୍ତବ । ଏଭଳି କରି ବିଧାନସଭା ୱାଶ୍-ଆଉଟ୍ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବିରୋଧୀ । କଂଗ୍ରେସ ଘଣ୍ଟ ବାଡ଼େଇ, ଗୁଣ୍ଡାରାଜ କରି ପବିତ୍ର ଗୃହର ଅପମାନ କରିଛି ।
ବିଧାନସଭାରେ ମାର୍ଚ୍ଚ ୭ରୁ ୧୩ ଦିନ ହେଲା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଧାନସଭା ଚଳାଇବାକୁ ଦିନକୁ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ଗୃହ ଚଳାଇ ଦିଆ ନଯିବା ରାଜକୋଷକୁ ବି କ୍ଷତି ପହଞ୍ଚାଉଛି । କଂଗ୍ରେସ ୨୭ ତାରିଖରେ ଆନ୍ଦୋଳନ କରିବାକୁ ଥିବାରୁ, କୌଣସି ପ୍ରକାର ବିଧାନସଭା ଚଳାଇ ନଦେବାକୁ କୁଆଡ଼େ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି ।
ରାଜନୈତିକ ସ୍ବାର୍ଥ ସାଧନ ପାଇଁ ହାଇଡ୍ରାମା ଚାଲିଛି କହି ବିଜେଡିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ପୃଥ୍ବୀରାଜ । ପ୍ରମୁଖ ବିରୋଧୀ ଦଳ ବିଜେଡି ଆଜି କଂଗ୍ରେସ ସହ ଭାବଦୋସ୍ତିରେ ଅଛି ବୋଲି ସେ କହିଛନ୍ତି । ସେହିପରି କଂଗ୍ରେସ ବିଧାୟକଙ୍କୁ ଆକ୍ରମଣ ଅଭିଯୋଗକୁ ଆଇନମନ୍ତ୍ରୀ ଖଣ୍ଡନ କରିଛନ୍ତି । ପ୍ରମାଣ ଦେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ନିଆଯିବ ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି, କଂଗ୍ରେସ ବିଧାୟକମାନେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କବାଟକୁ ଗୋଇଠା ମରାଯାଇଛି । ସେମାନଙ୍କ ଆକ୍ରମଣରେ ୪ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ବୋଲି ପୃଥ୍ବୀରାଜ ପାଲଟା ଅଭିଯୋଗ କରିଛନ୍ତି ।