ରିଲ୍ସ ନିଶା କରୁଛି ବାଇଆ: ଶୁଆକୁ ଫାଶୀ ଦେବାର ରିଲ୍ସ କରି ଯୁବକ ଗିରଫ


ଅନୁଗୁଳ: ରିଲ୍ସ ନିଶା ଯୁବପୀଢ଼ିଙ୍କୁ ପାଗଳ କରିଛି । ଲାଇକ୍, କମେଣ୍ଟ ଓ ସସକ୍ରାଇବ ପାଇଁ ସବୁ ସୀମା ପାର କରିଯାଉଛନ୍ତି । ଏମିତି ଏକ ଘଟଣା ଆଠମଲ୍ଲିକ ଅଞ୍ଚଳରେ ଦେଖିବାକୁ ମିଳିଛି । ଏକ ଶୁଆକୁ ଫାଶୀ ଦେବାର ରିଲ୍ସ କରି ଗିରଫ ହୋଇଛନ୍ତି ଜଣେ ଯୁବକ । ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ପୋଲିସ ତଦନ୍ତ ଜାରି ରହିଛି । ଏପରି ଚକିତ କରିଦେବା ପରି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଆଠମଲ୍ଲିକ ନାକଟିଦେଉଳ ଅଞ୍ଚଳରେ । ନାକଟିଦେଉଳରୁ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବିରି ଖାଇଯିବା କାରଣରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ କରିଥିବା ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି ଗିରଫ । ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆଠମଲ୍ଲିକ ଡିଏଫଓ ।

ଅଭିଯୁକ୍ତ ବାଇଗାକୁ ଗତକାଲି କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ଆହୁରି କିଛି ଜଣ ସାମିଲ ଥିବା ବନ ବିଭାଗ ଜେରା ବେଳେ ଜାଣିବାକୁ ପାଇଛି । ଅନ୍ୟ ଜଣେ ଅଭିଯୁକ୍ତ ଶୁଆଟିକୁ ମାରିଥିବା ବାଇଗା ପ୍ରକାଶ କରିଛି । ସେ ହତ୍ୟା କରିନାହିଁ, କେବଳ ରିଲ୍ସ କରିଥିଲା ବାଇଗା ବୟାନ ଦେଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଥିବା ସୂଚନା ଦେଇଛନ୍ତି ଡିଏଫଓ ।

ଅଭିଯୁକ୍ତଙ୍କ ବିରୋଧରେ ୱାଇଲ୍ଡ ଲାଇଫ ଆକ୍ଟର ଧାରା ୯ ଅନୁସାରେ ମାମଲା ରୁଜୁ କରାଯାଇଛି । ରୋଜ ରିଙ୍ଗ ପାରାକିଟ (ଶୁଆ) ଯାହାକି ଏକ ସେଡ୍ୟୁଲ ଟୁ ଆନିମଲ ଏହାକୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ବିଲରୁ ବିରି ଖାଇଥିବା କାରଣରୁ ଶୁଆକୁ ଧରି ଅନ୍ୟ ଅଭିଯୁକ୍ତ ସହ ମିଶି ବାଇଗା ହତ୍ୟା କରିଥିଲେ । ହତ୍ୟା କରିବାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ କରିଥିଲେ । ଭିଡିଓରେ ଥିବା ଫୋନ ନମ୍ବରକୁ ଟ୍ରାକ କରି ବନ ବିଭାଗ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।