ଭୁବନେଶ୍ବର: ଆଇଏଏସ୍ ସୁଜାତା କାର୍ତ୍ତିକେୟନ । ସୁଜାତା ହେଉଛନ୍ତି ଓଡ଼ିଶା ରାଜନୀତି ଚର୍ଚ୍ଚିତ ତଥା ଏକଦା ବିଜେଡିର ସର୍ବେସର୍ବା ପାଲଟିଥିବା ଭି.କେ. ପାଣ୍ଡିଆନଙ୍କ ପତ୍ନୀ । ସୁଜାତାଙ୍କ ଆବେଦନକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି ।
କିଛିଦିନ ତଳେ କେନ୍ଦ୍ର ନିକଟରେ ଛୁଟି ପାଇଁ ଆବେଦନ କରିଥିଲେ ସୁଜାତା । ଛୁଟି ନମିଳିବାରୁ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ୨୦୦୦ ବ୍ୟାଚର ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ । ସୁଜାତା କାର୍ତ୍ତିକେୟନ୍ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା ଆଇଏଏସ୍ ଅଧିକାରୀ । ତାଙ୍କ ପ୍ରାରମ୍ଭିକ ଜୀବନ ଝାଡ଼ଖଣ୍ଡର ଜାମସେଦପୁରରେ କଟିଥିଲା । ଯେଉଁଠାରେ ତାଙ୍କ ବାପା ଜଣେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ ।
୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମୟରେ ସୁଜାତାଙ୍କ ଆଇଏଏସ୍ କ୍ୟାରିୟର ଆରମ୍ଭ ହୋଇଥିଲା । ସେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର-ସହ-ସଚିବ ଭାବେ କାର୍ଯ୍ୟ କରିଥିଲେ । ଯାହା ମହିଳା ସଶକ୍ତିକରଣ ପାଇଁ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୦୧ରେ ଆରମ୍ଭ ହୋଇଥିଲା । ୨୦୨୪ ନିର୍ବାଚନରେ ବିଜେଡି କ୍ଷମତା ହରାଇବା ପରେ ସୁଜାତା ଛଅ ମାସର ଛୁଟିରେ ଥିଲେ । ୨୦୨୪ ନଭେମ୍ବର ୨୬ ପର୍ଯ୍ୟନ୍ତ ତାଙ୍କୁ ଛୁଟି ମଞ୍ଜୁର କରାଯାଇଥିଲା । କିନ୍ତୁ ତାଙ୍କ ଆବେଦନ ଅନୁସାରେ ଆଉ ଛଅ ମାସର ଛୁଟି ବୃଦ୍ଧି ପାଇଁ ଓଡ଼ିଶାର ବିଜେପି ସରକାର ଅନୁମତି ଦେଇ ନଥିଲେ ।