ନୂଆଦିଲ୍ଲୀ: ଭୂକମ୍ପ କ୍ଷତିଗ୍ରସ୍ତ ମିଆଁମାରକୁ ସହାୟତାର ହାତ ବଢାଇଲା ପଡ଼ୋଶୀ ଭାରତ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ୧୫ ଟନରୁ ଊର୍ଦ୍ଧ୍ବ ରିଲିଫ୍ ସାମଗ୍ରୀ ମିଆଁମାର ପଠାଯାଇଛି । ପର୍ଯ୍ୟାପ୍ତ ପରିମାଣରେ ତମ୍ବୁ ସାଙ୍ଗକୁ କମ୍ବଳ, ଖାଦ୍ୟ, ଜଳ ବିଶୋଧକ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ଅତ୍ୟାବଶ୍ୟକ ଔଷଧିୟ ସାମଗ୍ରୀ ମଧ୍ୟ ପଠାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମିଆଁମାର ଓ ଥାଇଲ୍ୟାଣ୍ଡରେ ହୋଇଥିବା ବିଶାଳ ଭୂକମ୍ପରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଏଭଳି ଦୁଃଖଦ ମୁହୂର୍ତ୍ତରେ ଭାରତ ଉଭୟ ଦେଶ ସହ ଛିଡ଼ା ହେବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ସୂଚନାସୋଗ୍ୟ, ଲାଗ ଲାଗ ଦୁଇଟି ଶକ୍ତିଶାଳୀ ଭୂକମ୍ପ କାରଣରୁ ଉଭୟ ଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମିଆଁମାରରେ ମୃତ୍ୟୁ ସଂଖ୍ୟା ୧୦୦୦ ଟପି ସାରିଛି । ଏବେ ବି କୋଠାର ଭଗ୍ନାବଶେଷ ତଳେ ଲୋକେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଜୋରଦାର ପ୍ରୟାସ କରାଯାଉଛି । ଏମିତି ସ୍ଥିତିରେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ।
ସେହିପରି ଥାଇଲାଣ୍ଡରେ ବିରାଟ ବିରାଟ କୋଠା ମାଟିରେ ମିଶି ଯାଇଛି । ଥାଇଲାଣ୍ଡରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି ।