ଭୁବନେଶ୍ବର: ଗୁରୁବାର କଂଗ୍ରେସ ସମାବେଶରେ ଗଣ୍ଡଗୋଳ ଘଟଣାରେ ୩ଟି ମାମଲା ରୁଜୁ ହୋଇଛି । ଏହାକୁ ଆଧାର କରି ଆନ୍ଦୋଳନକାରୀଙ୍କୁ ଗିରଫ କରିବାକୁ ପୋଲିସ ସଜବାଜ ହେଉଛି । କ୍ୟାପିଟାଲ ଥାନାରେ ହୋଇଥିବା ୩ଟି ମାମଲା କେସ ନଂ-୧୨୮, ୧୨୯ ଓ ୧୩୦ରେ ସମ୍ପୃକ୍ତ ଗଣ୍ଡଗୋଳକାରୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଜଣାପଡିଛି । ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରିବାକୁ ଡିଜିପି ୱାଇବି ଖୁରାନିଆ ନିର୍ଦ୍ଦେଶ ଦେବା ପରେ ପୋଲିସ ସିସିଟିଭି ଓ ଭିଡ଼ିଓ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଲାଗିଛି ।
୨୬ ତାରିଖ ରାତିରେ ବିଧାନସଭା ଗେଟ୍ ନଂ-୩ରେ କଂଗ୍ରେସ ନେତା ଓ କର୍ମୀଙ୍କ ଧାରଣାକୁ ନେଇ କ୍ୟାପିଟାଲ ଥାନରେ ପୋଲିସ କେସ ନଂ-୧୨୮ରେ ମାମଲା ରୁଜୁ କରିଛି । ବିଏନଏସ ଧାରା୧୮୯(୨)/୨୨୧/୨୯୬/୧୩୨/୧୯୦ ସହ ୯୬ ଓୟୁପି ଆକ୍ଟ ଲଗାଇ ପୋଲିସ ମାମଲା ରୁଜୁ କରିଛି ।
ସେହିପରି ୨୭ ତାରିଖ ଦିନ କଂଗ୍ରେସ ପକ୍ଷରୁ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ କିଛି ଗଣ୍ଡଗୋଳକାରୀ ପୋଲିସ ଭ୍ୟାନରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାକୁ ନେଇ କେସ୍ ନଂ ୧୨୯ ଓ ବିଏନଏସ ଧାରା ୩୨୭ରେ ମାମଲା ରୁଜୁ ହୋଇଛି । ଏହାବାଦ ଗଣ୍ଡଗୋଳକାରୀ ବିକ୍ଷୋଭ ସମୟରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଟେକା, ପଥର, ଚେୟାର, ପାଣିବୋତଲ ମାଡ଼ କରିଥିଲେ । ଏହାକୁ ନେଇ ମଧ୍ୟ ବିଏନଏସର ବିଭିନ୍ନ ଧାରାରେ ପୋଲିସ ମାମଲା ମାମଲା ରୁଜୁ କରିଛି ।
ସେପଟେ ପୋଲିସ ଭ୍ୟାନରେ ନିଆଁ ଲଗାଇବା ଘଟଣାରେ ବିଏନଏସ ଧାରା ୩୨୭ରେ ମାମାଲା, ସେପଟେ ଏହି ସମାବେଶରେ କଂଗ୍ରେସ କର୍ମୀଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ମାନବଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ଆଇନଜୀବୀ । ପୋଲିସ ଡିଜି, ସିପି ଓ ଡିସିପିଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆବେଦନ କରାଯାଇଛି । ପଦର ଅପବ୍ୟବହାର କରିଥିବା ଅଭିଯୋଗ ଆହତଙ୍କ ଖର୍ଚ୍ଚ ସରକାର ବହନ କରିବା ପାଇଁ ମାନବାଧିକାର କମିଶନଙ୍କ ପାଖରେ ଦାବି ରଖିଛନ୍ତି ଦୁଇ ଆଇନଜୀବୀ ସୌମ୍ୟକାନ୍ତ ଖୁଣ୍ଟିଆ ଏବଂ ଲଲାଟେନ୍ଦୁ ଦାସ ।