ନବୀନଙ୍କୁ ‘ଚୁପ ସୈତାନ’ କହି ଟାର୍ଗେଟ କଲେ ସୌମ୍ୟ, ହେଲେ କାହିଁକି ?


ଭୁବନେଶ୍ବର: ଓ୍ବାକଫ ବିଲକୁ ନେଇ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କଟାକ୍ଷ । ‘ଚୁପ ସୈତାନ’ କହି କଲେ କଟାକ୍ଷ । ପ୍ରଶ୍ନ କଲେ, ସମ୍ରାଟ୍ ଆଜି ଚୁପ୍ କାହିଁକି ? ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ଓଡ଼ିଶା ରାଜନୀତିରେ ଯାହା ସବୁ ଘଟୁଛି, ତାହା ଦେଖି ଅମୋଦିତ ହେବା ଛଡ଼ା ଅନ୍ୟ ଗତି ନାହିଁ । ବିଶେଷକରି ନବୀନ ବାବୁଙ୍କ ଆଚରଣ ଓ ଉଚ୍ଚାରଣ ଅଧିକ ବ୍ୟଥିତ ଓ ବିବ୍ରତ କରୁଛି । ନବୀନଙ୍କୁ ଯେତେବେଳେ ରାଜନୈତିକ ସହକର୍ମୀମାନେ ଧୋକା ଦିଅନ୍ତି, ସେ କ୍ଷୁବ୍ଧ ହୋଇ ଯେଉଁ ଭାଷା ବ୍ୟବହାର କରନ୍ତି ତାହା ହେଲା ‘ବେଇମାନ୍’ । ଆଜି ୱକଫ୍ ବିଲ୍ ପ୍ରସଙ୍ଗରେ, ବିଜେପିକୁ ସମର୍ଥନ ଦେବା ନ ଦେବା ନେଇ ତାଙ୍କ ଦଳର ନେତାମାନଙ୍କର ଆଚରଣ ଓ ଉଚ୍ଚାରଣରୁ ଆମେ କ’ଣ ବୁଝିବା ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ।

ଏଥିସହ ସେ ଆହୁରି ଲେଖିଛନ୍ତି, ନବୀନ ବାବୁଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା ? ମୋତେ ଲାଗେ, ‘ଚୁପ୍ ସୈତାନ୍’ ଛଡ଼ା ଆଉ ଭଲ ଶବ୍ଦ ମିଳିବ ନାହିଁ । ଦିନେ ନବୀନଙ୍କୁ ତାଙ୍କ ତୋଷାମଦକାରୀମାନେ ଓଡ଼ିଆଙ୍କ ହୃଦୟର ସମ୍ରାଟ୍ ବୋଲି କହି ବୁଲୁଥିଲେ । ହେଲେ ଆଜି କ’ଣ ହୋଇଛି ଯେ, ଏତେ କଥା ଘଟି ଯାଉଛି, ଅଥଚ ସମ୍ରାଟ୍ ଚୁପ୍ ବସିଛନ୍ତି । ବିଜୁ ଜନତା ଦଳର ବଳ କେଉଁଠି ହଜିଗଲା ଯେ ସେ ଏକ ସ୍ଥିର ନିଷ୍ପତ୍ତି ନେଇ ପାରୁନାହାନ୍ତି ? ଗୋଟିଏ ଦିନରେ ତିନି ଥର ଏ ପ୍ରସଙ୍ଗରେ ସେ ଭିନ୍ନ-ଭିନ୍ନ ନିଷ୍ପତ୍ତି ନେଇଛନ୍ତି । ପୁଣି ଶେଷରେ ବିବେକ କଥା କହିଛନ୍ତି । ଦଳର ବିବେକ କ’ଣ, ତାହା ସ୍ପଷ୍ଟ ଜଣାପଡୁନାହିଁ । ବିଭିନ୍ନ ଆଡୁ ଟଣା-ଓଟରା ହୋଇ, ବିବେକ ଦଂଶନ ଭୋଗିବା ଛଡ଼ା ଅନ୍ୟ ବାଟ ନାହିଁ ।