ଓ୍ବାକଫ୍ ବିଲକୁ ସମର୍ଥନ ବିବାଦ: ନବୀନଙ୍କୁ ଭେଟିବେ ମୁନ୍ନା ଖାଁ


ଭୁବନେଶ୍ବର: ବିଜେଡିରେ ଓ୍ବାକଫ ବିଲକୁ ସମର୍ଥ ଝଡ଼ ସୃଷ୍ଟି କରିଛି । ଆଉ ଏ ଝଡ଼ର ତୀବ୍ରତା ଏତେ ଯେ, ବ୍ୟତିବ୍ୟସ୍ତ ଦଳର ମୁଖିଆ ନବୀନ ପଟ୍ଟନାୟକ ସାହାରା ପାଉନାହାନ୍ତି । ଜଣଙ୍କ ପରେ ଜଣେ ବରିଷ୍ଠ ନେତା ମୁହଁ ଖୋଲିଥିବା ବେଳେ ମଉନବ୍ରତ ଧାରଣ କରି ନେଇଛନ୍ତି ନବୀନ । ଏମିତି ସମୟରେ ୱାକଫ୍ ବିଲକୁ ସମର୍ଥନ ନେଇ ଆଜି ନବୀନଙ୍କ ଭେଟିବେ ସାଂସଦ ମୁନା ଖାଁ । ମୁନାଙ୍କ ସହ ସାମିଲ୍ ହେବେ ଇସଲାମ ସମ୍ପ୍ରଦାୟର ନେତା । କାହିଁକି ଓ୍ବାକଫ ବିଲକୁ ସମର୍ଥନ କରାଗଲା ସେନେଇ ନବୀନଙ୍କ ସହ କରିବେ ଆଲୋଚନା ।

ୱାକଫ ବିଲ ଭୋଟକୁ ନେଇ ଦଳ ଭାଗ ଭାଗ ହୋଇଥିବାବେଳେ, ନବୀନଙ୍କ ନେତୃତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବରିଷ୍ଠ ନେତା । ସସ୍ମିତ କାହା ଇଙ୍ଗିତରେ ନବୀନଙ୍କ ନିଷ୍ପତ୍ତି ବିରୋଧରେ ଯିବାକୁ ସାହାସ କଲେ ତାକୁ ନେଇ ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ପୂର୍ବରୁ ଚୁପ୍ ରହୁଥିବା ନେତା ଏଥର ସିଧାସଳଖ ନବୀନଙ୍କୁ ଚେତାଇବା ସହ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି ।

ଏସବୁ ଭିତରେ ଦଳର ବରିଷ୍ଠ ବିଧାୟକ ତଥା ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । କାହାର ନାଁ ନନେଇ ସେ କହିଛନ୍ତି, କୌଣସି ବାହ୍ୟଶକ୍ତି ଦ୍ଵାରା ନିଷ୍ପତ୍ତି ହେଲେ ଦଳ ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେଉଛି । ସସ୍ମିତ ପାତ୍ରଙ୍କର ନିଷ୍ପତ୍ତି ନେବାର କ୍ଷମତା ନାହିଁ । ସେ ବିଦେଶ ଗସ୍ତରୁ ଫେରି ସ୍ପଷ୍ଟ କରିବା ପରେ ସବୁ ଜଣାପଡ଼ିବ । ସେହିପରି ଭୂପିନ୍ଦର ସିଂହ, ଦଳରେ କାଳବୈଶାଖୀ ଚାଲିଛି କହି କଟାକ୍ଷ କରିଛନ୍ତି । ଏହା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ବାହାରକୁ ଅଣାଯାଉ ବୋଲି ସେ ଦାବି କରିଛନ୍ତି । 

ସେପଟେ ବିଜେଡି ରାଜନୈତିକ ନିଆଁରେ ଘିଅ ଢାଳିଛନ୍ତି ବିଜେପି ସାଂସଦ ବଳଭଦ୍ର ମାଝୀ । ସେ କହିଛନ୍ତି, ‘ନବୀନ ପଟ୍ଟନାୟକ କେବେ ବି ଦଳକୁ ସମ୍ଭାଳିବା ପରିସ୍ଥିତିରେ ନଥିଲେ କି ଏବେ ବି ସମ୍ଭାଳିବା ସ୍ଥିତିରେ ନାହାନ୍ତି । ୨୦୨୪ରେ ବିଜେଡିକୁ ହରାଇଥିବା ଅଦୃଶ୍ୟ ଶକ୍ତି ଏବେ ବି ଦଳରେ କାମ କରୁଛି ।’ ଦଳ ଏବେ କଠିନ ସମୟ ଦେଇ ଗତି କରୁଥିବାରୁ ସଭାପତିଙ୍କୁ ସାମ୍ନାକୁ ଆସିବାକୁ ପଡ଼ିବ ବୋଲି ମତ ଦେଇଛନ୍ତି ରାଜନୀତି ସମୀକ୍ଷକ । ତେବେ ଆଜି ବିଜେଡି ସାଂସଦ ଦିଲ୍ଲୀରୁ ଫେରିବେ ବୋଲି ଜଣାପଡିଛି । ଦିଲ୍ଳୀରୁ ଫେରିବା ପରେ ସିଧାସଳଖ ନବୀନ ନିବାସ ଯାଇ ବିଜେଡିର କେଉଁ କେଉଁ ସଦସ୍ୟ ୱାକଫ ବିଲ୍ ସମର୍ଥନରେ ଭୋଟ୍ ଦେଲେ, ତା’ର ଜବାବ ଦେବେ । ହେଲେ, ନବୀନ କେବେ ମୁହଁ ଖୋଲୁଛନ୍ତି ତାକୁ ସାରା ଓଡ଼ିଶା ଅନାଇ ବସିଛି ।