ଭୁବନେଶ୍ବର: ଦୁଇ ଦିନରେ ଦୁଇଟି ସିରିଜ ଦୁର୍ଘଟଣା । ରାଜଧାନୀ ପାଲିଛି ଡେଥ ଜୋନ । କୁକୁଡ଼ା ଚିଆଁ ବୋଝେଇ ଗାଡ଼ିକୁ ପିଟିଲା ହାଇଓ୍ବା । ଘଟଣାସ୍ଥଳରେ ଡ୍ରାଇଭର ମୃତ । ଦୁର୍ଘଟଣା ପରେ ହାଇଓ୍ବା ଧରି ଡ୍ରାଇଭର ଚମ୍ପଟ । ରାତି ପ୍ରାୟ ୧୨.୧୦ ସମୟ ବେଳେ ଘଟିଛି ଏଭଳି ଦୁର୍ଘଟଣା । ବରମୁଣ୍ଡା-ଖଣ୍ଡଗିରି ଓଭର ବ୍ରିଜ ଉପରେ ଗାଡ଼ିର ପଛ ଚକା ଲିକ୍ ହେବା ଯୋଗୁଁ ଡ୍ରାଇଭର ଗାଡ଼ିକୁ ଠିକ୍ କରୁଥିଲେ । ସେହି ସମୟରେ ଏକ ହାଇୱା ପଛପଟୁ ପିଟିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଦୁର୍ଘଟଣା ପରେ ହଇୱା ସହ ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ହିଁ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବରମୁଣ୍ଡା ଓଭର ବ୍ରିଜରେ ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳକୁ ଆସିଥିଲା ପିସିଆର ଭ୍ୟାନ । ଦୁର୍ଘଟଣା ବିଷୟରେ ତଦାରଖ କରିବା ବେଳେ ପଛପଟୁ ପିସିଆର ଭ୍ୟାନକୁ ପିଟିଥିଲା ଆଉ ଏକ ହାଇୱା । ଫଳରେ ପିସିଆର୍ ଭ୍ୟାନଟି ଦୂରକୁ ଛିଟିକି ପଡ଼ିଥିଲା । ଗାଡ଼ି ଭିତରେ ଡ୍ରାଇଭର ଚିତ୍ତ ପଟ୍ଟନାୟକ ରହିଥିଲେ । ଏହି ଦୁର୍ଘଟଣାରେ ଚିତ୍ତ ପଟ୍ଟନାୟକ ଗୋଡ଼ ଭାଙ୍ଗିଯିବା ସହ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ଏହାସହ ଶରୀରରେ ଗଭୀର ଆଘାତ ମଧ୍ୟ ଲାଗିଛି । ସେହିଭଳି ଦୁର୍ଘଟଣା ବେଳେ ହୋମଗାର୍ଡ ମନୋଜ କୁମାର ମେହେରଙ୍କ ଉପରେ ଛିଟିକି ପଡ଼ିଥିଲା ପିସିଆର ଭ୍ୟାନ । ଯେଉଁଥିରେ ତାଙ୍କ ତାଙ୍କର ଗୋଡ଼, ମୁଣ୍ଡ ଆଉ ଛାତିରେ ଗଭୀର ଆଘାତ ଲାଗିଛି । ପ୍ରଥମେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ଘଟାଇ ଫେରାର ହେବା ବେଳେ ଗାଡ଼ିକୁ ଧରିଛି କମିଶନରେଟ ପୋଲିସ ।