ଶୁଦ୍ଧିକ୍ରିୟା ନସରୁଣୁ ସମାଧିରୁ ଶବ ଗାଏବ


ଭଦ୍ରକ: ଶବକୁ ବି ଛାଡୁନାହାନ୍ତି । ସମାଧି ଖୋଳି ନେଇ ଯାଉଛନ୍ତି । ଶୁଦ୍ଧିକ୍ରିୟା ନସରୁଣୁ ସମାଧିରୁ ଶବ ଗାଏବ ହୋଇଯାଉଛି । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଣିନାଥପୁର ଗ୍ରାମରେ । ଦଶ ଦିନ ତଳେ ମୃତ୍ୟୁ ପରେ ମାଆର ଶବ ପୋତିଥିଲା ପୁଅ । ହେଲେ ଦଶାହ କର୍ମ ଦୀପ ନେଇ ଶ୍ମଶାନକୁ ଯାଇ ଦେଖନ୍ତିତ ସମାଧି ଖୋଳି ଶବ କିଏ ନେଇଯାଇଛି ।

ଅଭିଯୋଗ ଅନୁଯାୟୀ ମଣିନାଥପୁର ଗ୍ରାମର ଶ୍ରୀମନ୍ତ ସାମଲଙ୍କ ସ୍ତ୍ରୀ ୫୨ ବର୍ଷୀୟା ରୁକ୍ମଣୀ ସାମଲଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ପରିବାର ଲୋକେ ମୃତଦେହକୁ ଗାଁ ପାଖ ବୈତରଣୀ ନଦୀ ନିକଟରେ ଥିବା ସ୍ଵର୍ଗଦ୍ଵାର ଶ୍ମଶାନରେ ପାରମ୍ପରିକ ରୀତି ଅନୁଯାୟୀ ଗାତ ଖୋଳି ପୋତି ଦେଇଥିଲେ ।

ତେବେ ମାଆଙ୍କ ଦଶାହ କର୍ମ ପାଇଁ ଆବଶ୍ୟକୀୟ ଦୀପ ନେଇ ଶବ ପୋତାଯାଇଥିବା ବୈତରଣୀ ନଦୀ ନିକଟସ୍ଥ ସ୍ଵର୍ଗଦ୍ଵାର ଶ୍ମଶାନକୁ ଯାଇଥିଲେ ପୁଅ ତାପସ ଓ ସମ୍ପର୍କୀୟ । ସେଠାରେ ତାପସ ଏବଂ ସମ୍ପର୍କୀୟ ମାଆଙ୍କ ଶବ ପୋତା ଯାଇଥିବା ସ୍ଥାନ ଖୋଳା ଯାଇଥିବା ଦେଖିବାକୁ ପାଇଥିଲେ ।

ଏହାପରେ ସମ୍ପର୍କୀୟ ଓ ଗାଁ ଲୋକେ ଅନେକ ଖୋଜା ଖୋଜି କରିବା ପରେ ମଧ୍ୟ ଶବ ମିଳି ନଥିଲା । ତେବେ ଶବ ପୋତା ଯାଇଥିବା ସ୍ଥାନରେ ମଦ ବୋତଲ ଏବଂ ପାଣି ବୋତଲ ପଡ଼ିଥିବା ବେଳେ ଗାତ ପାଖରୁ ଶବଟିକୁ ଘୋଷାରି ଘୋଷାରି ନେଇଥିବା ଚିହ୍ନ ଦେଖିବାକୁ ମିଳିଛି । ଶବ ନଥିଲେ ମଧ୍ୟ ଶବ ସହ ଅଣାଯାଇଥିବା କୋକେଇ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଡି ରହିଥିବା ଦେଖିବାକୁ ମିଳିଛି ।

ଏହି ଘଟଣା ପଛରେ ସ୍ଥାନୀୟ ଲୋକେ ତନ୍ତ୍ର ମନ୍ତ୍ର କରୁଥିବା ବ୍ୟକ୍ତିଙ୍କୁ ସନ୍ଦେହ କରିଛନ୍ତି । ଏହି ଅଞ୍ଚଳରୁ ଦୁଇ ବର୍ଷରେ ପ୍ରାୟ ୪ଟି ଶବ ଗାଏବ ହୋଇଥିବା କହିଛନ୍ତି ଗ୍ରାମବାସୀ । ତେଣୁ ଏହା ପଛରେ ଏକ ରାକେଟ କାମ କରୁଥିବା ସନ୍ଦେହ କରୁଥିବା ଗ୍ରାମବାସୀ ।