୩୭ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ, ଶୁଦ୍ଧିକ୍ରିୟା ବି କରିଦେଇଥିଲେ ପରିବାର ଲୋକେ


କନ୍ଧମାଳ: ୩୭ ବର୍ଷ ପୂର୍ବେ ଘର ଛାଡ଼ି ଚାଲିଯାଇଥିଲେ । ସମୁ ଭାବିଥିଲେ ସେ ଆଉ ଏ ଦୁନିଆରେ ନାହିଁ । ପରିବାର ଲୋକେ ଶୁଦ୍ଧିକ୍ରିୟା ବି କରିଦେଇଥିଲେ । ହେଲେ ୩୭ ବର୍ଷ ପରେ ଘରକୁ ଫେରିଛି ଲୁଚି ପଳାଇଥିବା ପୁଅ । ବାପା ମଦ ପିଅ ମାଡ଼ ଗାଳି କରୁଥିବାରୁ ଗାଁ ଛାଡିଥିବା ପୁଅ ଫେରିଛି । ୩ ଦଶନ୍ଧି ପରେ ପୁଅକୁ ଦେଖି ସମସ୍ତେ ଆବାକ ହୋଇଯାଇଛନ୍ତି । ବ୍ୟାଣ୍ଡ ବାଜା ତାଳେ ତାଳେ ନାଚି ଗାଇ, ଭୋଜି ଭାତ ଦେଇ ପୁଅକୁ ସ୍ବାଗତ କରିଛନ୍ତି ସମସ୍ତେ ।

କନ୍ଧମାଳ ଜିଲ୍ଲା ଦାରିଙ୍ଗିପାଡ଼ି ବ୍ଲକ କୁତୁବାଡ଼ର ସାମେଲ ପ୍ରଧାନ କାହାକୁ କିଛି ନକହି ଘରୁ କୁଆଡ଼େ ଚାଲି ଯାଇଥିଲେ । ଏବେ ଅରୁଣାଚଳ ପ୍ରଦେଶରେ ରହୁଛନ୍ତି । ସେଠି ବିବାହ କରି ଦୁଇ ଝିଅ ଓ ପୁଅକୁ ନେଇ ତାଙ୍କର ସଂସାର । ବାପା ମଦ ପିଇ ମାଡ଼ ମାରୁଥିବାରୁ ରାଗରେ ଘରୁ ପଳାଇଥିଲେ ସାମେଲ । ବର୍ଷ ପରେ ବର୍ଷ ବିତିଗଲା । କୌଣସି ଖୋଜ ଖବର ନମିଳିବାରୁ ଶୁଦ୍ଧିକ୍ରିୟା ସାରି ଦେଇଥିଲେ ପରିବାର ଲୋକେ । ସାମେଲଙ୍କ ଫେରିବା ବାଟକୁ ଅନାଇ ଅନାଇ ଯେଉଁ ବୁଢୀ ମାଆ ଆଖିରୁ ଲୁହ ଶୁଖି ଯାଇଥିଲା ସେ ଆଜି ଖୁସିରେ ପାଗେଳି ହୋଇ ଯାଇଛି । ନାଚି ଉଠୁଛି ତାଙ୍କ ପାଦ । ଗାଁ ଦାଣ୍ଡରେ ମନଭରି ନାଚିଛନ୍ତି ସାମେଲଙ୍କ ବୁଢୀ ମାଆ । ନାତିକୁ କୁଣ୍ଢେଇ ମନଭରି ଗେଲ ବି କରିଥିଲେ । ଶାଶୁ ଘରକୁ ଆସିବା ପାଇଁ ବାରମ୍ବାର କହୁଥିଲେ ସାମେଲଙ୍କ ପତ୍ନୀ । ଏବେ ତାଙ୍କ ଆଶା ପୂରଣ ହୋଇଥିବାରୁ ଭାରି ଖୁସି । ସେହିପରି ସାମେଲ, ତାଙ୍କ ପରିବାରକୁ ଦେଖିବାକୁ ଆଖପାଖ ଗାଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

ଯେଉଁ ବାପାଙ୍କ ମାଡ଼ ଗାଳି ପାଇଁ ଦିନେ ସାମେଲ ଘରୁ ଲୁଚି ପଳାଇଥିଲେ, ଆଜି ଫେରିବା ବେଳକୁ ବାପା ଦୁନିଆ ଛାଡି ଦେଇଛନ୍ତି । କିନ୍ତୁ ବୁଢ଼ୀ ମାଆ ଓ ଅନ୍ୟମାନଙ୍କୁ ପାଖରେ ପାଇ ଭାରି ଖୁସି ହୋଇଛନ୍ତି ।