ଭୁବନେଶ୍ବର: ବିଜେଡିରେ ଅଲ ଇଜ୍ ନଟ୍ ଓ୍ବେଲ୍ । ଭି.କେ. ପାଣ୍ଡିଆନ ଏବଂ ଓ୍ବାକଫ ବିଲକୁ ସମର୍ଥନକୁ ନେଇ ଦଳ ଭିତରେ କନ୍ଦଳ ଏତେ ବଢ଼ି ଯାଇଛି ଯେ, ସଭାପତି ନବୀନ ପଟ୍ଟନାୟକଙ୍କୁ ବି ଖାତିର କରୁ ନାହାନ୍ତି ନେତା । ପାଣ୍ଡିଆନଙ୍କୁ ସୁରକ୍ଷା ଦେବା ଓ ଓ୍ବାକଫ ବିଲକୁ ନେଇ ଚୁପ ରହି ଦଳୀୟ ନେତାଙ୍କୁ ନାଲି ଆଖି ଦେଖାଇଥିବା ନବୀନଙ୍କୁ ଦଳର ବରିଷ୍ଠ ନେତା କାଉଣ୍ଟର କରୁଛନ୍ତି । ଯାହା ୨୫ ବର୍ଷ ଭିତରେ କେବେ କହି ଦେଖି ନଥିଲେ ।
ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ଏବଂ ନୃସିଂହ ସାହୁ ସଭାପତିଙ୍କ ନାଲି ଆଖିକୁ କଡା ଭାଷାରେ ସମାଲୋଚନା କରିଛନ୍ତି । ଖାଲି ସେତିକି ନୁହେଁ ଉଭୟ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ସହ ଖୋଲା ଖୋଲି ବିଦ୍ରୋହ ଘୋଷଣା କରିଛନ୍ତି । ଏଭଳି ସ୍ଥଳେ ଆଗକୁ ଦଳ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଥିବା ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ ।
ବିଜେଡିରେ ନବୀନଙ୍କ ସ୍ଥିତି ଏମିତି ଯେ, ତାଙ୍କୁ ଟାର୍ଗେଟ କରି ବୟାନ ରଖିବାକୁ ଆଉ ଭୟ କରୁନାହାନ୍ତି ବରିଷ୍ଠ ନେତା । ପ୍ରଫୁଲ୍ଲ ମଲ୍ଲିକ ନବୀନଙ୍କ ତାଗିଦକୁ ବିରୋଧ କରିଛନ୍ତି । ସେ କହିଛନ୍ତି, ବ୍ୟକ୍ତିଗତ ଭାବେ କିଏ କେଉଁଠି ବନ୍ଧୁମାନଙ୍କ ସହ ବସା ଉଠା କରିବ ସେଥିରେ କ’ଣ ସଭାପତିଙ୍କ ଅନୁମତି ନେବୁ । ଆମେ ଦଳର ହିତ ସାଧନ ପାଇଁ ଆଲୋଚନା କରୁଛୁ ।
ସେତିକି ନୁହେଁ, ନବୀନ ପାଣ୍ଡିଆନଙ୍କୁ ସୁରକ୍ଷା ଦେଉଥିବା କଥାରେ ମଧ୍ୟ କଡା ସମାଲୋଚନା କରିଛନ୍ତି ପ୍ରଫୁଲ୍ଲ । କହିଛନ୍ତି ପାଣ୍ଡିଆନ୍ ନିଜେ ସାମ୍ନାକୁ ଆସି ସ୍ପଷ୍ଟ କରନ୍ତୁ । କାରଣ ପାଣ୍ଡିଆନ୍ ଫାକ୍ଟରକୁ ଦଳରୁ କେହି ଗ୍ରହଣ କରୁନାହାଁନ୍ତି । ସେହିପରି କିଏ ୱକଫ୍ ନିଷ୍ପତ୍ତି ବଦାଳାଇବା ଭଳି ଅନ୍ତର୍ଘାତୀ କାମ କଲା ତାକୁ ଚିହ୍ନଟ କରାଯିବା ଦରକାର ବୋଲି ସେ କହିଛନ୍ତି ।
ଦଳର ଆଉ ଜଣେ ବରିଷ୍ଠ ନେତା ନୃସିଂହ ସାହୁ ପ୍ରଫୁଲ୍ଲଙ୍କ ସହ ସ୍ବର ମିଳାଇଛନ୍ତି । ସେ ମଧ୍ୟ ନବୀନଙ୍କ ମେଳି କଟକଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ପାଣ୍ଡିଆନଙ୍କ ସମର୍ଥନରେ ଥିବା ନବୀନ ବୁଝିବା ଦରକାର ଯେ ପାଣ୍ଡିଆନ୍ ଚାକିରି ଛାଡି ବିଜେଡ଼ିରେ ଯୋଗଦେବା ବିପର୍ଯ୍ୟୟର କାରଣ । ଅପରପକ୍ଷେ ବରିଷ୍ଠ ନେତା ନିଜ ଅଭିମାନ ସମ୍ପର୍କରେ ସଭାପତିଙ୍କ ଆଗରେ ଆଲୋଚନା କରିବା ଉଚିତ ଏବଂ ଏଭଳି ରୋଷରୁ ଦଳ କ୍ଷତିଗ୍ରସ୍ତ ହେଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ଅଶ୍ବିନୀ ପାତ୍ର ।
ଦିନେ ନବୀନଙ୍କ କଥା ଦଳରେ ବେଦର ଗାର ସଦୃଶ ଥିଲା । ମାତ୍ର ୱକଫ୍ ବିଲ୍କୁ ନେଇ ରାଜ୍ୟସଭାରେ ଦଳର ଷ୍ଟାଣ୍ଡ ଓ ପାଣ୍ଡିଆନଙ୍କୁ କ୍ଲିନ୍ଚିଟ୍ ପରଠୁ ଏବେ ନବୀନଙ୍କୁ ବି ବିଶ୍ବାସ କରିବା ସ୍ଥିତିରେ ନାହାନ୍ତି ବହୁ ବରିଷ୍ଠ । ଯେଉଁଥି ପାଇଁ ଏବେ ଅସନ୍ତୁଷ୍ଟଙ୍କ ସିଧା ଟାର୍ଗେଟରେ ନବୀନ । ତେଣୁ ଏଭଳି ସ୍ଥିତିରେ ବିଜେଡିରେ ଆଗକୁ ଏକ ବଡ଼ ଗୋଷ୍ଠୀ, ଜୋରଦାର ବିଦ୍ରୋହ କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି ।