୨୪ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଥିବା ବିଜେଡିରେ ହେବ କି ବିଭାଜନ? ସବୁଠୁ ଶୃଙ୍ଖଳିତ ଦଳ କୁହାଯାଉଥିବା ବିଜେଡି କଳି ଦିନକୁ ଦିନ ବଢିବାରେ ଲାଗିଛି । ନିର୍ବାଚନ ହାରିବା ପରଠୁ ନେତାଙ୍କ ମନରେ ଅସନ୍ତୋଷ ଥିଲା । ହେଲେ ଓ୍ବକଫ୍ ଭୋଟ୍ ପରଠୁ ଏହା ସାମନାକୁ ଆସିଛି । ଦିନେ ବିଜେଡିର ସର୍ବେସର୍ବା ରହିଥିବା ଭିକେ ପାଣ୍ଡିଆନଙ୍କୁ ଖୋଲାଖୋଲି ସମାଲୋଚନା କରୁଛନ୍ତି ଦଳର ନେତା ।
ବରିଷ୍ଠ ନେତା ହୋଟେଲରେ ମେଳି କରୁଛନ୍ତି, ନବୀନ ଆକଟ କଲେ ବି ଶୁଣିବା ମୁଡରେ ନାହାନ୍ତି । ବିଜେଡି ଛାଡି ଯାଇଥିବା ନେତା ବି ପାଣ୍ଡିଆନଙ୍କ ହସ୍ତକ୍ଷେପକୁ ନେଇ କହିଲେଣି । ଏଭଳି ସ୍ଥିତିରେ ପାଣ୍ଡିଆନଙ୍କୁ ନବୀନଙ୍କ ପ୍ରଶଂସା ଅସନ୍ତୋଷ ନିଆଁରେ ଘିଅ ଢାଳିଛି । ତେବେ ପ୍ରଶ୍ନ ଉଠୁଛି, ଯଦି ବିଜେଡିରେ ବିଭାଜନ ହୁଏ ତେବେ କାହାର ଲାଭ ହେବ?
ବିଜେଡି ବିବାଦ ପଛରେ ରହିଛି ରାଜ୍ୟସଭାରେ ଓ୍ବକଫ୍ ଭୋଟ୍ । ବର୍ଷ ବର୍ଷ ଧରି ରାଜ୍ୟର ସଂଖ୍ୟାଲଘୁ ଭୋଟର ବିଜେଡିର କୋର୍ ଭୋଟବ୍ୟାଙ୍କ ରହିଛନ୍ତି । ବିଜେଡି ମଧ୍ୟ ଦଳ ଗଠନ ପରଠୁ ଧର୍ମନିରପେକ୍ଷ ଇମେଜ ରଖିଆସିଛି । ହେଲେ ଓ୍ବକଫ ସଂଶୋଧନ ବିଲକୁ ବିବେକ ଅନୁସାରେ ଭୋଟ୍ ନିଷ୍ପତି ଓ ପରେ ଦଳର ସାଂସଦ ବିଲ ସପକ୍ଷରେ ଭୋଟ ଦେବା ଦଳର ଆଭିମୁଖ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ଏହାକୁ ନେଇ ସାଂସଦ ମୁନା ଖାଁଙ୍କ ନେତୃତ୍ବରେ ସଂଖ୍ୟାଲଘୁ ଭୋଟର ନବୀନ ନିବାସରେ ପହଞ୍ଚି ସିଧାସଳଖ ନବୀନଙ୍କୁ ପ୍ରଶ୍ନ କରିଥିଲେ । ସେତେବେଳେ ଅନୁଧ୍ୟାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ନବୀନ । ନିଷ୍ପତି କିଏ ନେଇଥିଲେ, ସେନେଇ କହିବା ବଦଳରେ ପାଣ୍ଡିଆନଙ୍କୁ ପ୍ରଶଂସା କରିଥିଲେ । ଏହାପରେ ସଂଖ୍ୟାଲଘୁ ଭୋଟର ବିଜେଡିଠାରୁ ଦୂରେଇ କଂଗ୍ରେସ ଆଡକୁ ମୁହାଁଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ସଂଖ୍ୟା ବଳ ସତ୍ତ୍ବେ ଗତ ବିଧାନସଭା ଅଧିବେଶନ ବେଳେ ବିଜେଡିଠୁ ଅଧିକ ଚର୍ଚ୍ଚାରେ ରହିଥିଲା କଂଗ୍ରେସ । ମହିଳା ସୁରକ୍ଷା ପରି ବଡ଼ ପ୍ରସଙ୍ଗ ଉଠାଇ ଉଭୟ ବିଧାନସଭା ଭିତରେ ଓ ବାହାରେ ହୁଲୁସ୍ତୁଲ କରିଥିଲା ଦଳ । କେବଳ ସପୋର୍ଟିଂ ରୋଲରେ ହିଁ ନଜର ଆସିଥିଲା ବିଜେଡି । ଯଦି ବିଜେଡିରେ ବିଭାଜନ ହୁଏ, ତେବେ ସ୍ଥିତି ଆହୁରି ଖରାପ ହେବ । ୫୧ବିଧାୟକ ଥାଇ ମଧ୍ୟ ବିଜେଡି ବ୍ୟାକଫୁଟକୁ ଆସିବ । ଫଳରେ ସଂଖ୍ୟା ନଥାଇ ମଧ୍ୟ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ନଜର ଆସିପାରେ କଂଗ୍ରେସ । ଲୋକସଭାରେ ବିଜେଡି ଶୂନ ରହିଥିବା ବେଳେ ରାଜ୍ୟସଭାରେ ଓ୍ବକଫ୍ ଭୋଟ ପରବର୍ତ୍ତୀ ବିବାଦ ଯୋଗୁଁ ଦଳ ଏକାଠି ନଜର ଆସିନପାରେ । ଯାହାର ଫଳ ଭାବେ ରାଜ୍ୟବାସୀଙ୍କର ବିଜେଡି ଉପରେ ଭରସା କମିବ ।