ଓଡ଼ିଶା ଡଟ୍ ନ୍ୟୁଜ୍: ରାଜଧାନୀ ଭୁବନେଶ୍ୱର ପରେ କଟକରେ ଡବଲ ଏନକାଉଣ୍ଟର । ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ଚୌଦ୍ୱାର ପୋଲିସ । ଆହତ ଅଭିଯୁକ୍ତ ହେଲେ କଟାସ ରାଉତ ଏବଂ ଶୁଭ୍ରାଂଶୁ ପରିଡ଼ା । ଆହତ ଅଭିଯୁକ୍ତଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି । କଟାସ ଓ ଶୁଭ୍ରାଂଶୁ ଏକାଧିକ ମାମଲାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି । ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ର ମିଳିତ ଟିମ୍ ଉଭୟଙ୍କୁ ଧରିବାକୁ ଯାଇଥିବା ବେଳେ ଏମାନେ ଗୁଳି ଚଲାଇଥିଲେ । ପରେ ପୋଲିସର ପାଲଟା ଗୁଳି ମାଡ଼ରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କ ନିକଟରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି ।
ପୂର୍ବରୁ ଏପ୍ରିଲ ୧୧ ତାରିଖରେ ନିଶା ମାଫିଆ ଶେଖ୍ ଜାମସେଦକୁ ଏନକାଉଣ୍ଟର କରିଥିଲା କମିସନରେଟ ପୋଲିସ । ଗୁରୁତର ଅବସ୍ଥାରେ ଏମ୍ସରେ ତାକୁ ଭର୍ତ୍ତି କରାଯାଇଥିଲା । ସ୍ପେଶାଲ କ୍ରାଇମ୍ ୟୁନିଟ୍ ଅଫିସର ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଥିବା ବେଳେ ଅପରାଧୀ ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା । ଶେଖ ଜାମସେଦ ନିକଟରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଗୋଟିଏ ମାଉଜର ଜବତ କରାଯାଇଥିଲା ।
ଏହି ନିଶା ମାଫିଆ ନାଁରେ ପୂର୍ବରୁ ଲାଲବାଗ୍, ବାଲିଅନ୍ତା, ବଡ଼ଗଡ ଥାନାରେ ବିଭିନ୍ନ ମାମଲା ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ବାରା ଗିରଫ ମଧ୍ୟ ହୋଇଥିଲା । ବିଳମ୍ବିତ ରାତିରେ ପୋଖରୀପୁଟରୁ ଖଣ୍ଡଗିରିକୁ ଯାଉଥିବା ବେଳେ ପିଛା କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ୍ । ନିଜକୁ ବଞ୍ଚାଇବାକୁ ଯାଇ ଶେଖ ଜାମସେଦ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପୋଲିସର ପାଲଟା ଗୁଳି ମାଡ଼ରେ ଅଭିଯୁକ୍ତର ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା । ଆହତ ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିଲା ଅଭିଯୁକ୍ତ ।
ସେହିପରି ଏପ୍ରିଲ ୩ ତାରିଖରେ ମଧ୍ୟ ଭୁବନେଶ୍ୱରରେ ଡବଲ ଏନ୍କାଉଣ୍ଟର କରିଥିଲା କମିସନରେଟ ପୋଲିସ । ୨ ଲୁଟେରାଙ୍କୁ ଗୁଳି କରିଥିଲା କମିସନରେଟ୍ ପୋଲିସ । ଗୁରୁତର ଅବସ୍ଥାରେ ଲୁଟେରାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ପରେ ଏସସିବି ସ୍ଥାନାନ୍ତର କରାଯାଇଥିଲା । ଏନକାଉଣ୍ଟର ପୂର୍ବରୁ ସାମ୍ନାକୁ ଆସିଥିଲା ଲୁଟେରାଙ୍କ ଏକ୍ସକ୍ଲୁସିଭ୍ ଫଟୋ । ବ୍ଲାକ୍ ପଲସରରେ ଲୁଟ୍ କରୁଥିଲେ ଲୁଟେରା ।