ଜମନକିରା ଡାକ୍ତରଖାନାରେ ଡାକ୍ତର ଓ ଫାର୍ମାସିଷ୍ଟ ଛୁଟିରେ; ରୋଗୀ ସେବା ବେହାଲ: ସ୍ବାସ୍ଥ୍ୟ ବିଭାଗ ସବୁ ଜାଣି ଚୁପ ହୋଇ ବସିଛି


ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ସଦର ମହକୁମାରେ ଅବସ୍ଥାପିତ ଡାକ୍ତରଖାନା ଟି ବିଭାଗ ପକ୍ଷରୁ ସଦାବେଳେ ଅବହେଳିତ ହୋଇ ରହିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅଣଦେଖା ଯୋଗୁଁ ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ମନଇଚ୍ଛା କାମ କରୁଥିବା ଅଭିଯୋଗ ହେଉଛି।
ସୂଚନା ଯୋଗ୍ୟ ଯେ, ଜମନକିରା ଏକ ବ୍ଲକ ସଦର ମହକୁମା ହୋଇଥିବା ବେଳେ ଏହି ବ୍ଲକ ଦେଇ କଲିକତା ରୁ ମୁମ୍ବାଇ କୁ ଜାତୀୟ ରାଜପଥ ୬ ( ବର୍ତ୍ତମାନ ୫୩)ରାସ୍ତା ଲମ୍ବି ରହିଛି। ପ୍ରତ୍ୟହ ହଜାର ହଜାର ଗାଡ଼ି ମୋଟର ଯାତାୟାତ କରିଥାଏ। ସମ୍ବଲପୁର ଠୁ ଦେବଗଡ ଅଭିମୁଖେ ଦୀର୍ଘ ୨୨ କିଲୋମିଟର ରାସ୍ତା ଗୌଡପାଲି ଠୁ ଚିନିମହୁଲ ପର୍ଯ୍ୟନ୍ତ ସଂରକ୍ଷିତ ଜଙ୍ଗଲ ଥିବାରୁ ଜାତୀୟ ରାଜପଥ ଟି ୪ ଥାକିଆ ପ୍ରସସ୍ଥିକରଣ ହୋଇପାରି ନାହିଁ। ଅଣଓସାରିଆ ରାସ୍ତାରେ ବହୁ ସଂଖ୍ୟାରେ ଭାରି ଯାନ ଯାତାୟାତ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି। ଆଶୁ ଚିକିତ୍ସା ପାଇଁ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ ଥିବା ଦୁର୍ଘଟଣାଗ୍ରସ୍ଥ ଆହତ ରୋଗୀ ବହୁ ସଂଖ୍ୟାରେ ଆସୁଥିବା ବେଳେ ଡ଼ାକ୍ତର, ଫାର୍ମାସିଷ୍ଟ ଓ କର୍ମଚାରୀଙ୍କ ଅନୁପସ୍ଥିତି ଓ ମନମର୍ଜିରେ କାମ କରୁଥିବା ଯୋଗୁଁ ନାନା ସମସ୍ୟା ଦେଖା ଯାଉଛି। ଜମନକିରା ସଦର ମହକୁମାରୁ ବାମରା, ଝାରସୁଗୁଡା, ରାଉଲକେଲା, ତିଲେଇବଣି, ଦେବଗଡ ଆଦି ବହୁ ସ୍ଥାନକୁ ଯୋଗାଯୋଗ ରହିଥିବାରୁ ଶହ ଶହ ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ମାତ୍ର ଏହି ଡାକ୍ତରଖାନାରେ ପ୍ରାୟ ସମୟରେ ଡ଼ାକ୍ତର ଅନୁପସ୍ଥିତ ଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଜଣେ ଏଲୋପାଥି ଡାକ୍ତର ପୋଷ୍ଟିଂ ହୋଇଥିବା ବେଳେ ଜଣେ ଆୟୁଷ (ହୋମିଓପାଥୀ)ଡାକ୍ତର ପୋଷ୍ଟିଙ୍ଗ ଦୀର୍ଘ ଦିନରୁ ଅବସ୍ଥାପିତ ଅଛନ୍ତି। ଅଞ୍ଚଳବାସୀ ବିଶେଷ କରି ଏଲୋପାଥୀ ଡାକ୍ତରଙ୍କ ଚିକିତ୍ସା ଉପରେ ନିର୍ଭର କରୁଥିବା ବେଳେ ତାଙ୍କର ଅନୁପସ୍ଥିତି ଯୋଗୁଁ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଆଜି ଡାକ୍ତରଖାନା ବହୁ ରୋଗୀ ଚିକିତ୍ସା ପାଇଁ ଆସିଥିବା ବେଳେ ଡ଼ାକ୍ତର ଚଳିତ ମାସ ଏପ୍ରିଲ ୧୬ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟିରେ ଯାଇଥିବା ବେଳେ ଫାର୍ମାସିଷ୍ଟ ଆଜି ୧୭ ତାରିଖ ଠାରୁ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଛୁଟିରେ ଯାଇଥିବା ଜଣାଯାଇଛି। ଏହା ପୂର୍ବରୁ ଚଳିତ ମାସ ପ୍ରଥମ ଓ ଦ୍ଵିତୀୟ ସପ୍ତାହରେ ମଧ୍ୟ ସଂପୃକ୍ତ ଉଭୟ ଡାକ୍ତର ୫/୬ ଦିନ ଛୁଟିରେ ଥିବା ବେଳେ କେତେ ଜଣ ନର୍ସ ଏବଂ ଏଲ.ଟି ମଧ୍ୟ ଅନୁରୂପ ଭାବେ ଛୁଟିରେ ଥିଲେ। ଜଣେ ଜଗୁଆଳି ବ୍ଲଡ଼ ପ୍ରେସର୍ ଚେକ୍ କରୁଥିବା ବେଳେ ଜଣେ ଫାର୍ମାସିଷ୍ଟ ଓ ଜଣେ ନର୍ସ ରୋଗୀ ସେବା ପ୍ରଦାନ କରୁଥିଲେ। ଏଠାରୁ ଜମନକିରା ଡାକ୍ତରଖାନାରେ ରୋଗୀ କିପରି ଚିକିତ୍ସା ପାଉଥିବେ ସହଜରେ ଅନୁମେୟ। ଏଭଳି ସମସ୍ୟା ବାରମ୍ବାର ଦେଖା ଯାଉଥିବା ବେଳେ ଅଞ୍ଚଳବାସୀ ଅନେକ ଥର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ଅଧିକାରୀ ଗଣ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଲୋକେ ଅଭିଯୋଗ କରୁଛନ୍ତି। ଅଞ୍ଚଳବାସୀ ଏହି ଡାକ୍ତରଖାନାରେ ଅଧିକ ଜଣ ଏଲୋପାଥି ଡାକ୍ତର ନିଯୁକ୍ତି କରିବା ପାଇଁ ଦାବି କରୁଛନ୍ତି। ଖୁବ୍ ଶୀଘ୍ର ଏହାର ପ୍ରତିକାର କରାନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏହି ବ୍ଲକ ଅନ୍ତର୍ଗତ ଫାଶିମାଲ ଉନ୍ନୀତ ଗୋଷ୍ଠୀ ଡାକ୍ତରଖାନାରେ ୬ ଜଣ ଡାକ୍ତର ଅବସ୍ଥାପିତ ଥିବା ବେଳେ ଜଣେ ଡାକ୍ତର ଙ୍କୁ ଡେପୁଟେସନ ଦେବା ପାଇଁ ଲୋକେ ଫାଶିମାଳ ସୂପରିନ୍ତେଣ୍ଡେଣ୍ଟ ଙ୍କୁ ଅନୁରୋଧ କରିଥିଲେ। ମାତ୍ର ସୂପରିନ୍ତେଣ୍ଡେଣ୍ଟ ଡାକ୍ତର ହରିଶ୍ଚନ୍ଦ୍ର ବାଗ ଡେପୁଟେସନ କ୍ଷମତା ତାଙ୍କ ଅଧୀନରେ ନଥିବା ପ୍ରକାଶ କରୁଥିଲେ।
ଏସଂକ୍ରାନ୍ତରେ ସମ୍ବଲପୁର ଜିଲ୍ଲା ସିଡିଏମଓ ଡ଼ା: ସୁଜାତା ରାଣୀ ମିଶ୍ର ଙ୍କୁ ଯୋଗାଯୋଗ କରି ସମସ୍ୟା ସମ୍ପର୍କରେ ପଚାରିବାରୁ ମୁଁ ସେକ୍ରେଟରିଏଟ ରେ ଅଛି, ପରେ କଥା ହେବି ବୋଲି କହିଥିଲେ।