ଜମନକିରା : ଏକ ଲୁହା ବେଝେଇ ଟ୍ରକ୍ ଅପହରଣ ଓ ଚାଳକ ହତ୍ୟା ଘଟଣାର ପର୍ଦ୍ଦାଫାସ କରିବାରେ ସଫଳତା ପାଇଛି ଜମନକିରା ପୋଲିସ। ଏସଙ୍କ୍ରାନ୍ତରେ ତିନିଜଣ ଅଭିଯୁକ୍ତଙ୍କୁ ପୋଲିସ ଗରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ଗୋପାଲପାଲି ଛକ ନିକଟରେ ରହୁଥିବା ଗଣେଶ ଜୟଶ୍ୱାଲ(୪୮), ବିହାର ମୋତିହାରି ଜିଲା ସଙ୍ଗ୍ରାମପୁର ଥାନା ମଧୁପୁର ଗ୍ରାମର ମୂଳ ବାସିନ୍ଦା ଓ ବର୍ତ୍ତମାନ ବରେଇପାଲି ଥାନା ଅନ୍ତର୍ଗତ ଆରଏମସି ନିକଟସ୍ଥ ମହାପାତ୍ର କଲୋନୀର ମୁନା ଆଲ୍ଲମ(୨୬) ଓ ଜମନକିରା ଥାନା ଚିନିମହୁର ଗ୍ରାମର ସଂଗ୍ରାମ ନାୟକ(୪୩) ପିତା ଗଙ୍ଗାରାମ ନାୟକ। ସେମାନଙ୍କ ନିକଟରୁ ଅପହୃତ ଟ୍ରକ(ସିଜି-୧୫-ଇଏ-୩୪୦୩), ଏକ ବ୍ରିଜା କାର(ଓଡି-୧୫-ଏଏ-୭୧୦୮), ଏକ ବାଇକ(ଓଡି-୧୭-ଆ-ର୍୮୮୪୫) ଓ ୫ଟି ମୋବାଇଲ ଫୋନକୁ ଜବତ କରିଛି ପୋଲିସ।
ଏସମ୍ପର୍କରେ ରବିବାର ଅପରାହ୍ନରେ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ତାଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ମାର୍ଚ୍ଚ ୬ ତାରିଖ ବିଳମ୍ବିତ ରାତିରେ ଲୁହା ପଥର ବୋଝେଇ ଟ୍ରକ(ସିଜି-୧୫-ଇଏ-୩୪୦୩)କୁ ଧରି ଚାଳକ ଜିତେନ୍ଦ୍ର ଯାଦବ ରାୟପୁରରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରି ଟ୍ରକସହ ନିଖୋଜ ହୋଇ ଯାଇଥିବା ନେଇ ରାୟପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ରାୟପୁର ପୋଲିସ ପକ୍ଷରୁ ସମ୍ବଲପୁର ପୋଲିସକୁ ଏନେଇ ସୂଚିତ ମଧ୍ୟ କରାଯାଇଥିଲା। ଏପରିକି ଟ୍ରକ୍ ଲାଗିଥିବା ଜିପିଏସ୍ କୁ ଟ୍ରାକିଂ କରି ଏହା ଜମନକିରା ଥାନା କୋଆଗୋଲା ନିକଟସ୍ଥ ଲଦୋପଡ଼ା ଜଙ୍ଗଳ ମଧ୍ୟରେ ଥିବା ଜଣା ପଡ଼ିଥିଲା। ଏହାକୁ ଆଧାର ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅପର ପକ୍ଷରେ ଗତ ଅପ୍ରେଲ ୧୦ ତାରିଖରେ ଜମନକିରା ଥାନା ଅନ୍ତର୍ଗତ ଲଦୋପଡ଼ା ଗ୍ରାମର ରମଣୀ ରଞ୍ଜନ ନାଏକ ନାମକ ଜଣେ ବ୍ୟକ୍ତି ଲଦୋପାଲିରେ ଥିବା ଏକ ଇଟା କାରଖାନା ନିକଟରେ ମାଟିତଳୁ ମଣିଷର ଦୁଇଟି ଗୋଡ଼ର କଙ୍କାଳକୁ ଦେଖି ଜମନକେରା ପୋଲିସକୁ ଖବର ଦେଇଥିଲେ। ପୋଲିସ ତତ୍କ୍ଷଣାତ ସେଠାରେ ପହଞ୍ଚି ନର କଙ୍କାଳକୁ ମାଟିତଳୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିବା ସହିତ ପୋଲିସ ସାଇଣ୍ଟିଫିକ୍ ଦଳ ଗଳିତ ଶବ ଓ କଙ୍କାଳକୁ ଉଦ୍ଧାର କରି ଡିଏନ୍ଏ ପରୀକ୍ଷା ପାଇଁ ପଠାଇଥିଲା। ତେବେ ନିଖୋଜ ଖବର ସହିତ ଜିପିଏସ୍ ଟ୍ରକିଂ ଜରିଆରେ ଟ୍ରକ୍ର ଅବସ୍ଥିତି ଆଧାରରେ ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚଥିଲା। ପୋଲିସ ଘଟଣା ତଦନ୍ତ କରି ବିହାର ମହାରାଜଗଞ୍ଜ ଜିଲାରୁ ଗଣେଶ ଜୟଶ୍ୱାଲ କୁ, ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ାରୁ ମୁନା ଆଲ୍ଲମ କୁ ଓ ଜମନକିରା ଚିନିମହୁଳ ଗାଁରୁ ସଙ୍ଗ୍ରାମ ନାୟକଙ୍କୁ ଗିରଫ କରିଥିଲା। ମାତ୍ର ଏହି ଘଟଣାର ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଅଭିଷେକ୍ ଚୌଧୁରୀ ଫେରର ଥିବା ସେ କହିଛନ୍ତି। ସେ କହିଛନ୍ତି ଯେ, ଗିରଫ ପରେ ଅଭିଯୁକ୍ତ ମାନଙ୍କୁ ପଚାର ଉଚରା ପରେ ଲୁହାପଥର ଓ ଟ୍ରକ୍କୁ ବିକ୍ରି କରିବା ପାଇଁ ସେମାନେ ଚାଳକଙ୍କୁ ହତ୍ୟା କରିଥିଲେ ବୋଲି ସ୍ୱୀକାର କରିଛନ୍ତି। ସେମାନଙ୍କ କହିବା ଅନୁସାରେ ଟ୍ରକ୍ ଚାଳକ ଜିତେନ୍ଦରଙ୍କ ସହିତ ମୁନାର ପୂର୍ବରୁ ପରିଚୟଥିଲା। ରାୟପୁରରୁ ବାହାରିଲା ପରେ ମୁନା ସହିତ କଥା ହୋଇ ବଡରମା ଢାବାରେ ଏକସଙ୍ଗେ ଚାପାନ କରିଥିଲେ। ଏହି ସମୟର ପୂର୍ବ ଯୋଜନା ଅନୁସାରେ ମୁତ ଜିତେନ୍ଦରଙ୍କ ଚା ରେ ନିଶା ଔଷଧ ମିଶ୍ରଣ କରିଦେଇଥିଲେ। ଫଳରେ ଚାଳକ ଜିତେନ୍ଦର ଚା ପିଇବା ପରେ ଅଚେତ ହୋଇ ପଡ଼ିଥିଲେ। ଏହାବାଦ ମୁନା ଟ୍ରକ୍କୁ ଚଲାଇ ସଂଗ୍ରାମ ର ଇଟା କାରଖାନାକୁ ଯାଇଥିଲେ। ସେଠାରେ ଫେରାର ଥିବା ଅଭିଷେକ, ଗଣେଶ, ମୁନା ଓ ସଂଗ୍ରାମ ୪ ଜଣ ମିଶି ଜିତେନ୍ଦରଙ୍କୁ ଅଚେତ ଅବସ୍ଥାରେ ତଣ୍ଟି ଚିପି ହତ୍ୟା କରିବା ପରେ କାଳେ ବଞ୍ଚଯିବ ଭାବି ତାଙ୍କ ଉପରେ ଟ୍ରକ୍ ଚଢ଼ାଇ ଦେଇଥିଲେ। ଏହାବାଦ ଇଟା କାରଖାନା ପାଶ୍ୱର୍ରେ ଥିବା ଏକ ଗାତରେ ତାଙ୍କୁ ପୋତି ଦେଇ ଚାଲି ଯାଇଥିଲେ। ତେବେ ସମ୍ଭବତଃ କୌଣସି ହିଂସ୍ରଯନ୍ତୁ କିମ୍ବା କୁକୁର ମୃତଦେହର ଗନ୍ଧ ବାରି ମାଟିତଳୁ ଶବକୁ ଟାଣି ବାହାର କରିବାକୁ ପ୍ରୟସା କରିଥିଲା। ଫଳରେ ମୃତଦେହର ଗଳିତ ଗୋଡ଼ ଦୁଇଟିର କଙ୍କାଳ ବାହାରକୁ ଦିଶୁଥିଲା ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ। ଆଗକୁ ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ କେତେକ ଜଣଙ୍କ ନାମରେ ପୂର୍ବରୁ ମଧ୍ୟ କେତେକ ଅପରାଧିକ ମାମଲା ରହିଛି। ଯାହା ଆଗକୁ ତଦନ୍ତ କଲେ ଜଣା ପଡ଼ିବ। ତେବେ ଏଭଳି ଅପରାଧିକ ଘଟଣାରେ ଏକ ରାକେଟ୍ କାର୍ଯ୍ୟ କରୁଥିବା ଅନୁମାନ କରାଯାଉଛି। ତେଣୁ ସେମାନଙ୍କୁ ଜେରା ପାଇଁ ରିମାଣ୍ଡରେ ନିଆଯିବ। ଜେରା ପରେ ସେମାନଙ୍କ ସହିତ ଏହି ରାକେଟ ରେ ଆଉ କିଏ କିଏ ସମ୍ପୃକ୍ତ ବା ଏହି ଘଟଣାର ଅନ୍ୟ କିଏ ସାମିଲ ସମସ୍ତ ବିଷୟ ଜଣା ପଡ଼ିବ ବୋଲି କହିଛନ୍ତି ଆରକ୍ଷୀ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ। ଜମନକିରା ଥାନା ଅଧିକାରୀ ପଦ୍ମାଳୟା ସାହୁ ଏବଂ ଜମନକିରା ଥାନାର ଅନ୍ୟ ଅଧିକାରୀଙ୍କ ପ୍ରୟାସ ଯୋଗୁଁ ଏହା ଶୀଘ୍ର ଉନ୍ମୋଚନ ହୋଇ ପାରିଥିବା ଜଣାପଡିଛି।
ଲୁହାପଥର ବୋଝେଇ ଟ୍ରକ୍ ଅପହରଣ ଓ ଚାଳକ ହତ୍ୟା ଘଟଣାର ପର୍ଦ୍ଦାଫାଶ ୩ଜଣ କୋର୍ଟ ଚାଲାଣ, ଲୁହା ବୋଝେଇ ଟ୍ରକ୍ ଉଦ୍ଧାର
